
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉଷୁ ପ୍ରତିଯୋଗିତାରେ ବଲାଙ୍ଗିରର ଦୁଇ ଛାତ୍ରୀଙ୍କ ଚମତ୍କାର ସଫଳତା । ୩୨ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ମହିଳା କଲେଜର ଦୁଇ ଛାତ୍ରୀ । ଝାରସୁଗୁଡ଼ାରେ ଗତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ୩୨ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବଲାଙ୍ଗିର ମହିଳା କଲେଜର ଛାତ୍ରୀ ସନ୍ଧ୍ୟା ନାଗ ଓ ଦିୟା ସାଗର ଉତ୍କୃଷ୍ଟ ପ୍ରଦର୍ଶନ କରି ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ଦିୟା ସାଗରଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ମଧ୍ୟ ମନୋନୀତ କରାଯାଇଛି । ଏହି ସଫଳତା ପରେ ଆଜି ବଲାଙ୍ଗିର ମହିଳା କଲେଜ ପରିସରରେ ଉଭୟ ପଦକ ବିଜେତା ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କଲେଜର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ଓ ପିଇଟି ଉପେନ୍ଦ୍ର ସାହୁ ଛାତ୍ରୀ ଦୁଇଜଣଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଉଷୁ କୋଚ୍ ଯୁଧିଷ୍ଠିର ଗୁରାଣ୍ଡା ମଧ୍ୟ ଉପସ୍ଥିତ ରହି ଦୁଇ ଖେଳାଳିଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଦୁଇ ଛାତ୍ରୀଙ୍କ ଏହି ସଫଳତା କେବଳ ମହିଳା କଲେଜ ନୁହେଁ, ସମଗ୍ର ବଲାଙ୍ଗିର ଜିଲ୍ଲାର କ୍ରୀଡ଼ା ଜଗତ ପାଇଁ ଏକ ଗର୍ବର ବିଷୟ ପାଲଟିଛି ।