
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର-୧୫ ଥାନା ପୋଲିସ ବେଆଇନ ବାଣ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ସେକ୍ଟର-୧୮ ଉତ୍କଳ ବସ୍ତିରେ ଥିବା ଏକ ବେଆଇନ ଫାୟାର କ୍ରାକର ଗୋଦାମ ଚିହ୍ନଟ କରି ପୋଲିସ ପ୍ରାୟ ୧.୫ ଲକ୍ଷ ଟଙ୍କା ମୂଲ୍ୟର ୨୬୫ କିଲୋଗ୍ରାମ ବାଣ ଜବତ କରିଛି । ପୋଲିସ ପ୍ରେସ ନୋଟ ୧୪୮-୨୬ ଅନୁସାରେ, ସେକ୍ଟର-୧୫ ଥାନା ମାମଲା ନମ୍ବର ୧୪୮ ତା ୦୩.୦୯.୨୦୨୬, ଧାରା ୨୮୮ ବିଏନ୍ଏସ୍ ସହ ଧାରା ୫ ଓଡିଶା ବାଣ ଏବଂ ଲାଉଡ ସ୍ପିକର ନିୟନ୍ତ୍ରଣ ଆଇନ/ ୯(ଖ)(୧)(ଖ) ଭାରତୀୟ ବିସ୍ଫୋରକ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ପୋଲିସ ସୂଚନା ଅନୁସାରେ ୦୩.୦୯.୨୦୨୬ରେ ସେକ୍ଟର-୧୫ ପିଏସ୍ର ଏସ୍ଆଇ ଅମ୍ବିକା ମାର୍ଣ୍ଡି ପେଟ୍ରୋଲିଂ ସମୟରେ ସେକ୍ଟର-୧୮ ଉତ୍କଳ ବସ୍ତିରେ ଏକ ବେଆଇନ ବାଣ ଗୋଦାମ ବିଷୟରେ ସୂଚନା ପାଇଥିଲେ। ଚଢ଼ାଉ କରି ସେଠାରୁ ବିଭିନ୍ନ ବ୍ରାଣ୍ଡର ବିଭିନ୍ନ ପ୍ରକାରର ଫାୟାର କ୍ରାକର ଥିବା ୨୨ଟି କାଗଜ କାର୍ଟୁନ ପ୍ୟାକେଟ ଜବତ କରାଯାଇଛି । ଏହାର ମୋଟ ଓଜନ ୨୬୫.୦୮ କିଲୋଗ୍ରାମ ଏବଂ ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କା । ତଦନ୍ତ ପରେ ଗୋଦାମଟି ସେକ୍ଟର-୧୮ ଉତ୍କଳ ବସ୍ତିର ବିଜୟ ସାଙ୍କ ପୁଅ ଦୀପକ କୁମାର ସା(୨୮)ର ବୋଲି ଜଣାପଡିଛି । ପୋଲିସ ଲାଇସେନ୍ସ ମାଗିବାରୁ ସେ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ । ସେ ନିଜ ବ୍ୟକ୍ତିଗତ ଲାଭ ପାଇଁ ସାଧାରଣ ଲୋକଙ୍କୁ ଏହି ବାଣ ବିକ୍ରି କରୁଥିବା ସ୍ୱୀକାର କରିଛି । ଅଭିଯୁକ୍ତ ଦୀପକ କୁମାର ସାଙ୍କୁ ଗିରଫ କରାଯାଇଛି । ତାର ପୂର୍ବ ଅପରାଧ ରେକର୍ଡ ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ । ମାମଲାର ତଦନ୍ତ ସେକ୍ଟର-୧୫ ଥାନାର ଏଏସ୍ଆଇ ଜୁଗଲ ବାଗାର୍ତ୍ତୀ କରୁଛନ୍ତି ।