
କଣ୍ଟାବାଞ୍ଜି, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବାପାଇଁ ତୃଣମୂଳ ସ୍ତରରେ ପ୍ରଚେଷ୍ଟା ଚାଲିଛି । ପନ୍ଦର ବର୍ଷରୁ ଅଧିକ ଯେଉଁମାନେ ଆଦୌ ପାଠ ପଢି ନାହାଁନ୍ତି ସେମାନଙ୍କୁ ସାକ୍ଷରତା କରି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ତୁରେକେଲା ବ୍ଲକର ଶିକ୍ଷା ବିଭାଗ ମଧ୍ୟ ଅଣ୍ଟା ଭିଡିଛି । ଉଲ୍ଲାସରେ ଥିବା ସମସ୍ତ ବିଷୟରେ ଅବଗତ କରେଇବା ପାଇଁ ତୁରେକେଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ବିଇଓ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିରକୁ ନୋଡ଼ାଲ ଅଫିସର ବିଆରସିସି ଫକୀର ଚରଣ ବିଶି ଉଦ୍ଘାଟନ କରିଥିଲେ । ଏବିଇଓ ଜଗବନ୍ଧୁ ମାଝୀ ଚଳିତ ମାସ କୋଡ଼ିଏ ତାରିଖରେ କିଭଳି ଭାବରେ ସୁରଖୁରୁରେ ପରୀକ୍ଷା ହେବ ଏବଂ ପୂର୍ବରୁ ଶିକ୍ଷାର୍ଥୀ ଚିହ୍ନଟ, ପଞ୍ଜିକରଣ, ଟ୍ୟାଗିଂ ଓ ସର୍ଟ ଲିଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ସାଧନକର୍ମୀ ଗଜିନ୍ଦ୍ର ହରିଜନ, ଜଗମୋହନ ସେଠୀ ପ୍ରଶିକ୍ଷଣରେ ଉପସ୍ଥିତ ଥିବା ପଚାଶରୁ ଅଧିକ ସରଭେୟର ଓ ସ୍ୱେଚ୍ଛାସେବୀ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ହିଆଲ ସିଆରସିସି ବିରଞ୍ଚି ନାରାୟଣ ଦାଶ ସ୍ୱାଗତ ଓ ସିଆରସିସି ଦୀନେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷଣରେ ପ୍ରଧାନ ଶିକ୍ଷକ ଅଶୋକ ତରିଆ, ସିଆରସିସି ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଗୁରୁପ୍ରସାଦ ଛତ୍ରିଆ, ଗଜୟ ଦାଶ, ଅନୁପ କୁମାର ଦାସ, କୃତିବାସ ବରିହା, ମୋହନ ବରିହା ଉପସ୍ଥିତ ଥିଲେ । ସେହିପରି ହିଆଲ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ସିଆରସିସି ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁରଙ୍କ ଉପସ୍ଥିତିରେ ପିଏମଶ୍ରୀ ଚଟୁଅନକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ସାଧନକର୍ମୀ କୃଷ୍ଣଚନ୍ଦ୍ର ପଣ୍ଡା, ବିଜୟ ତାଣ୍ଡୀ, ସୌରଭ ବେହେରା ପ୍ରଶିକ୍ଷଣ ଦେଇଥିଲେ । ମାନ୍ଦଲା କ୍ଲଷ୍ଟରର ପ୍ରଶିକ୍ଷଣ ସିଆରସିସି ଧନସିଂ ମାଝୀଙ୍କ ଉପସ୍ଥିତିରେ ମାନ୍ଦଲା ଉଚ୍ଚ ବିଦ୍ୟାଳୟ ଠାରେ ଦିଆଯାଇଥିଲା । ସାଧନକର୍ମୀ ସୁବାଷ ଧରୁଆ, ମନୋଜ ତାଣ୍ଡୀ ଓ ବୈଷ୍ଣବ ବେହେରା ପ୍ରଶିକ୍ଷଣ ଦେଇଥିଲେ ।