jayashree

ୟୋନେକ୍ସ-ସନ୍‌ରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ

  • ଦଳଗତ ବାଳକ ବିଭାଗ ଫାଇନାଲରେ ଓଡିଶା ଓ ଉତ୍ତରାଖଣ୍ଡ
  • ବାଳିକା ଫାଇନାଲରେ ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ମୁକାବିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର ଷ୍ଟାଡ଼ିଅମ ଠାରେ ୟୋନେକ୍ସ-ସାନରାଇଜ ଇଷ୍ଟ ଜୋନ ଆନ୍ତଃ ରାଜ୍ୟ ବେଡ଼ମିଣ୍ଟନ ଚାମ୍ପିୟନସିପ ଉଦ୍‌ଘାଟନ ହୋଇଯାଇଛି । ପ୍ରତିଯୋଗିତାକୁ ଓସବା ସମ୍ପାଦକ ତଥା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ଅବସରରେରେ ମୁଖ୍ୟ ରେଫରୀ ଇ. ପି. ଦିବାକରଣ, ଓଡିଶା ଦଳର ମୁଖ୍ୟ କୋଚ ଗୋବର୍ଦ୍ଧନ ରେଡ୍ଡୀ, ଓସବା ଉପସଭାପତି ସୁରେଶ ଚନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ, ମନରଞ୍ଜନ ପଣ୍ଡା, କମଳ ଦାସ, ଅଜିତ ମହାନ୍ତି, ଚନ୍ଦନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଭାରତୀୟ ବେଡ଼ମିଣ୍ଟନ ସଙ୍ଘ ଓ ଓଡିଶା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର ସହଯୋଗରେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଦଳଗତ ଇଭେଣ୍ଟ ଆରମ୍ଭ ହୋଇଛି । ପ୍ରଥମଦିନ ଖେଳ ଶେଷ ସୁଦ୍ଧା ଦଳଗତ ଇଭେଣ୍ଟର ଜୁନିଅର ବର୍ଗ ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଓଡ଼ିଶା ଜୁନିଅର ଦଳ ସେମିଫାଇନାଲରେ ପଶ୍ଚିମ ବଙ୍ଗକୁ ୨-୧ରେ ପରାସ୍ତ କରି ଫାଇନାଲରେ ପହଂଚିଛି । ଓଡିଶା ଦଳର ସୌମ୍ୟଜିତ ସାହୁ ପ୍ରଥମ ସିଙ୍ଗଲସରେ ପଶ୍ଚିମ ବଙ୍ଗର ଦିବ୍ୟାନସ ଅଗ୍ରୱାଲଙ୍କ ଠାରୁ ହାରିଯାଇଥିବା ବେଳେ ଓଡ଼ିଆ ଖେଳାଳୀ ଦିବ୍ୟମ ଜେଜ୍ରିୱାଲ ପଶ୍ଚିମ ବଙ୍ଗର ଆଦିତ୍ୟ ବ୍ରହ୍ମାଙ୍କୁ ୧୫-୧୦, ୧୦-୧୫ ଓ ୧୫-୬ ପଏଣ୍ଟରେ ହରାଇ ବିଜୟୀ ହୋଇଛନ୍ତି । ଡବଲସରେ ଦିବ୍ୟମ କେଜ୍ରିୱାଲ ଓ ଶୁଭ୍ର କେତନ ଯୋଡି ପଶ୍ଚିମ ବଙ୍ଗ ଯୋଡି ଦିବ୍ୟାନସ ଅଗ୍ରୱାଲ ଓ ଆଦିତ୍ୟ ବ୍ରହ୍ମାଙ୍କୁ ୧୫-୬ ଓ ୧୫-୭ ପଏଣ୍ଟରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ଫାଇନାଲରେ ଓଡିଶା ବାଳକ ଦଳ ଉତ୍ତରପ୍ରଦେଶକୁ ୨-୦ ହରାଇଥିବା ଉତ୍ତରାଖଣ୍ଡ ଦଳକୁ ଭେଟିବ । ବାଳିକା ସେମିରେ ଉତ୍ତରାଖଣ୍ଡ ଦଳ ଉତ୍ତର ପ୍ରଦେଶକୁ ୨-୧ରେ ହରାଇ ଫାଇନାଲକୁ ଯାଇଛି । ଅନ୍ୟ ପଟେ ପଶ୍ଚିମବଙ୍ଗ ବାଳିକା ଦଳ ବିହାରକୁ ୨-୧ରେ ହରାଇ ଫାଇନାଲ ପହଂଚିଛି । ୪ ତାରିଖ ଦିନ ଦଳଗତ ଇଭେଣ୍ଟର ଫାଇନାଲ ମେଚ ଅନୁଷ୍ଠିତ ହେବ । ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ରେ ପୂର୍ବାଂଚଳର ୬ଟି ରାଜ୍ୟ ଯଥା ଓଡିଶା, ଝାରଖଣ୍ଡ, ବିହାର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଯୋଗ ଦେଇଛନ୍ତି । ଦଳଗତ ପ୍ରତିଯୋଗିତା ତା ୩ ତାରିଖରୁ ଓ ବ୍ୟକ୍ତିଗତ ପ୍ରତିଯୋଗିତା ୪ତାରିଖ ଅପରାହ୍ନରୁ ଆରମ୍ଭ ହୋଇ ୬ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓଡିଶା ରାଜ୍ୟ ବେଡ଼ମିଣ୍ଟନ ସଙ୍ଘ ସମ୍ପାଦକ ତଥା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ସୂଚନା ଦେଇଛନ୍ତି । ପ୍ରତିଯୋଗୀତାର ଚିଫ ରେଫରୀ ଭାବେ କେରଳର ଇ.ପି. ଦିବାକରଣ, ଡେପୁଟି ରେଫରୀ ଆନ୍ଧ୍ର ପ୍ରଦେଶର ସମ୍ପଦ ରାଓ ଓ ମେଚ କଣ୍ଟ୍ରୋଲ ହରିଆଣାର ରବି ଚୌହାନ ଦାୟିତ୍ୱରେ ଅଛନ୍ତି ।

Leave A Reply

Your email address will not be published.