
ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ ଅବ୍ୟବସ୍ଥାକୁ ନେଇ ଚାଲିଥିବା ଧାରଣା ପ୍ରତ୍ୟାହୃତ
ନୟାଗଡ଼, (କେପିଏନ୍ଏସ୍) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ କଂଗ୍ରେସ ପକ୍ଷରୁ କରାଯାଉଥିବା ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି । ଧାରଣାସ୍ଥଳରେ ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଶାନ୍ତ କୁମାର ସ୍ୱାଇଁ ପହଞ୍ଚି ଧାରଣାରତ କଂଗ୍ରେସ କର୍ମୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ପରେ ସମୟାନୁକ୍ରମେ ଦାବି ଗୁଡିକ ପୂରଣ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି । ପ୍ରକାଶଥାଉକି ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ଟି ଡାକ୍ତର ପଦବୀ ଥିବା ବେଳେ ମାତ୍ର ୩ ଜଣ ଡାକ୍ତର କାର୍ଯ୍ୟରତଥିବା ବେଳେ ୧୧ଟି ଡାକ୍ତର ପଦବୀ ଖାଲି ପଡିଥିବା ନେଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ. ଅଭିସାର ପଣ୍ଡାଙ୍କ ଠାରୁ ଜଣାପଡିଛି । ତେବେ ଖାଲି ପଡିଥିବା ଡାକ୍ତର ପଦବୀ ଗୁଡିକ ତୁରନ୍ତ ପୂରଣ ଦିଗରେ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତିଶୃତି ଦେଇଥିବା ଜଣାପଡିଛି ।