jayashree

ପମ୍ପ ଡ୍ରାଇଭର ଓ ଏସିଏମଙ୍କୁ ପ୍ରାପ୍ୟ ପ୍ରଦାନ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ନବଗଠିତ ଲୋଇସିଂହା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ବୁର୍ଡା ଓ ଲୋଇସିଂହା ଗ୍ରାମ ପଞ୍ଚାୟତରେ ପାନୀୟ ଜଳଯୋଗାଣ ତଥା ନଳକୂପ ମରାମତି ଦାୟିତ୍ୱରେ ଥିବା ଏସିଏମ୍ ଓ ପମ୍ପ ଡ୍ରାଇଭର ମାନେ ଗତ ଏପ୍ରିଲ ମାସରୁ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ପଞ୍ଚାୟତ କର୍ତ୍ତୃପକ୍ଷ ସେମାନଙ୍କୁ ଦରମା ଦେଉଥିବା ବେଳେ ଏବେ ସମୀକରଣ ବଦଳି ଯାଇଛି । ନୂତନ ଭାବେ ଲୋଇସିଂହା ଏନଏସି ମାନ୍ୟତା ପାଇବା ପରେ ଉଭୟ ପମ୍ପ ଡ୍ରାଇଭର ଓ ଏସିଏମ ମାନେ ଏନଏସି ଅଧୀନରେ କାର୍ଯ୍ୟ କରିବା ସହିତ ଜଳଯୋଗାଣ ଦାୟିତ୍ୱରେ ରହିଛନ୍ତି । ତେବେ ଆବଶ୍ୟକ ଫଣ୍ଡ ନ ଥିବା ଦର୍ଶାଇ ଗତ ୫ ମାସ ଧରି ଉପରୋକ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନ ଥିବାରୁ ଅତି ଦୟନୀୟ ଅବସ୍ଥାରେ ସେମାନେ ପରିବାର ପ୍ରତିପୋଷଣ କରୁଥିବା ଅଭିଯୋଗ କରିଛନ୍ତି । ଏ ନେଇ ଏନଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଲୋଇସିଂହା ବିଡ଼ିଓଙ୍କୁ ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି । ଏଥିସହିତ ଦରମା ଦିଆ ନ ଗଲେ ଆସନ୍ତା ୬ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି । ଦିଲୀପ ଥନାପତି, କୃଷ୍ଣଚନ୍ଦ୍ର ପାଣ୍ଡେ, ରୋହିତ ବରାଡ, ଚିନ୍ମୟ ଥନାପତି, ସୁରେଶ ପଧାନ, ଭୋଲାଶଙ୍କର ସାହୁ, ବିଦ୍ୟାଧର ପଧାନ, ଅକ୍ଷୟ ପଧାନ, ଚୂଡ଼ାମଣି ଧରୁଆ, ପୁରୋହିତ ବରାଡ ପ୍ରମୁଖ ଏ ନେଇ ଲୋଇସିଂହା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।

Leave A Reply

Your email address will not be published.