
କୋଲକାତା ଜାତୀୟ ତାଇକ୍ୱାନଡୋରେ ରାଉରକେଲାର ବାଜିମାତ : ୨୮ ପଦକ ସହ ଫାଷ୍ଟ ରନର୍ସ ଅପ୍ ହେଲା ଦ ନେକ୍ସଟ ଜେନ ଇନଷ୍ଟିଚ୍ୟୁଟ୍
ରାଉରକେଲା, (ସସ୍ମିତା ପ୍ରଧାନ) : କୋଲକାତାରେ ଅନୁଷ୍ଠିତ ୬ଷ୍ଠ ଇଣ୍ଡିଆ ପ୍ରୋଗ୍ରେସିଭ କପ୍ ନ୍ୟାସନାଲ ତାଇକ୍ୱାନଡୋ ଚାମ୍ପିଅନସିପ୍ରେ ରାଉରକେଲାର ଛାତ୍ରଛାତ୍ରୀମାନେ ବଡ ସଫଳତା ହାସଲ କରିଛନ୍ତି । ସେକ୍ଟର-୩ ଜଗନ୍ନାଥ ମନ୍ଦିର ପରିସରରେ ଥିବା ‘ଦ ନେକ୍ସଟ ଜେନ ଇନଷ୍ଟିଚ୍ୟୁଟ୍’ର ୧୦ ଜଣ ଛାତ୍ରଛାତ୍ରୀ ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ପାଇଁ ମୋଟ ୧୫ଟି ଗୋଲ୍ଡ, ୮ଟି ସିଲଭର ଓ ୫ଟି ବ୍ରୋଞ୍ଜ ପଦକ ସହ ଫାଷ୍ଟ ରନର୍ସ ଅପ ଟ୍ରଫି ଜିତି ଗୌରବ ଆଣିଛନ୍ତି । ଇନଷ୍ଟିଚ୍ୟୁଟର ସମ୍ପାଦକ ଆନନ୍ଦ କୁମାର ସୁନାଙ୍କ ନେତୃତ୍ୱରେ ଏହି ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲା । ସବ-ଜୁନିଅର ବର୍ଗରେ କୌଶିକ କୁମାର ଫାଇଟରେ ଗୋଲ୍ଡ, ପୁମସେରେ ସିଲଭର ଏବଂ ସ୍ପିଡ କିକରେ ଗୋଲ୍ଡ ପାଇଛନ୍ତି । ଜୁନିଅର ବର୍ଗରେ ପ୍ରବୀଣ କୁମାର ସାମଲ ସ୍ପିଡ କିକରେ ଗୋଲ୍ଡ ଓ ଫାଇଟରେ ସିଲଭର ପାଇଛନ୍ତି । ଗାର୍ଲସ ବର୍ଗରେ ଶୁଭଶ୍ରୀ ପ୍ରଧାନ ପୁମସେରେ ଗୋଲ୍ଡ ଓ ଫାଇଟରେ ସିଲଭର ଏବଂ ୟଶମିନ ନାଗ ଫାଇଟରେ ଗୋଲ୍ଡ ଜିତିଛନ୍ତି । ସିନିୟର ବର୍ଗରେ ଅନୁରାଗ ତନ୍ତୀ ଫାଇଟରେ ଗୋଲ୍ଡ ଓ ସ୍ପିଡ କିକରେ ସିଲଭର, ଅସିତ କୁମାର କାଲୋ ସ୍ପିଡ କିକରେ ଗୋଲ୍ଡ, ପୁମସେରେ ସିଲଭର ଓ ପେୟାର ପୁମସେରେ ଗୋଲ୍ଡ, ଉଦୟ କୁମାର ମିଞ୍ଜ ଫାଇଟରେ ସିଲଭର ଓ ପେୟାର ପୁମସେରେ ଗୋଲ୍ଡ ପାଇଛନ୍ତି । ରୌନକ ରହମାନ ଖାନ ଫାଇଟ ଓ ପୁମସେରେ ଦୁଇଟି ବ୍ରୋଞ୍ଜ, ସୌମ୍ୟ ରଞ୍ଜନ ମହାନ୍ତି ଫାଇଟରେ ବ୍ରୋଞ୍ଜ ଓ ସ୍ପିଡ କିକରେ ସିଲଭର ଏବଂ ବିବେକ ବଡାଇକ ଫାଇଟରେ ଗୋଲ୍ଡ ଓ ସ୍ପିଡ କିକରେ ବ୍ରୋଞ୍ଜ ହାସଲ କରିଛନ୍ତି । ବିଜେତା ଖେଳାଳିମାନେ ରାଉରକେଲା ଫେରିବା ପରେ ଅଭିଭାବକ ଖିରୋଦିନି ବାରିକ ଫୁଲତୋଡା ଓ ମିଠା ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ସାମାଜିକ କର୍ମୀ ଦେବେନ୍ଦ୍ର ବାଗ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜଣାଇ ଅଭ୍ୟାସ ପାଇଁ ଏକ ତାଇକ୍ୱାନଡୋ ଡମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ ଓପି ସିଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।