jayashree

ଖଣିଜ ବିଲ୍ ଓଡ଼ିଶା ସ୍ୱାର୍ଥ ବିରୋଧୀ, କେନ୍ଦ୍ର ବିରୋଧରେ ଆପ୍‌ର ବିଶାଳ ଆନ୍ଦୋଳନ ଚେତାବନୀ

  • ସର୍କିଟ ହାଉସ ଘଟଣା ଓ ଜୁଏଲ ଓରାମଙ୍କ ବୟାନକୁ ଆପ୍‌ର ନିନ୍ଦା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସରକାରଙ୍କ ନୂଆ ଖଣିଜ ବିଲ୍‌କୁ ବିରୋଧ କରି ଆଜି ଆମ୍‌ ଆଦମୀ ପାର୍ଟି ପକ୍ଷରୁ ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, ଭାରତ ସରକାର ଗତ ଅଗଷ୍ଟ ୧୦ ତାରିଖରେ ଖଣିଜ ପଦାର୍ଥ ସମ୍ପର୍କିତ ଏକ ବିଲ୍ ପାସ କରିଛନ୍ତି ଯାହା ସିଧାସଳଖ ଓଡିଶାର ସ୍ୱାର୍ଥ ବିରୁଦ୍ଧରେ ଯାଉଛି । ଏହି ବିଲ୍ ଯୋଗୁଁ ଓଡିଶା ସରକାର ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ବାକି ଥିବା ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ପାଇପାରିବେ ନାହିଁ । ଏହାଛଡା ଆଗାମୀ ଦିନରେ ବାର୍ଷିକ ପ୍ରାୟ ୧୫ରୁ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ । ଦଳର ଅଭିଯୋଗ ଅନୁଯାୟୀ, ଏଣିକି ଆମ ରାଜ୍ୟର ଖଣିଜ ସମ୍ପଦ ଉପରେ ଆମର ହକ୍ ରହିବ ନାହିଁ । କେନ୍ଦ୍ର ସରକାର ଆମ ଖଣିଜ ସମ୍ପଦକୁ ନିଜ ହାତରେ ରଖି ବିଭିନ୍ନ ଶିଳ୍ପ ସଂସ୍ଥାକୁ ବିକିବେ । ଏହା ଓଡିଶାର ହକକୁ ଛଡାଇ ନେଲା ଭଳି କାର୍ଯ୍ୟ ବୋଲି ଆପ୍ କହିଛି । ଏହି ବିଲ୍‌କୁ ଆମ୍‌ ଆଦମୀ ପାର୍ଟି ଘୋର ବିରୋଧ କରୁଛି ଏବଂ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ସମ୍ମିଳନୀରେ ନିକଟରେ ଘଟିଥିବା ରାଉରକେଲା ସର୍କିଟ ହାଉସ ଘଟଣା ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ବିବାଦୀୟ ବୟାନକୁ ଦଳ ଘୋର ନିନ୍ଦା କରିଛି ଏବଂ ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ଅନୁରୋଧ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ ଜିଲ୍ଲା ଲୋକସଭା ପ୍ରଭାରୀ ବିନୟ ତିୱାରୀ, ବିଧାନସଭା ପ୍ରଭାରୀ ସନ୍ତୋଷ ବେହେରା ଏବଂ ମିଡିଆ ପ୍ରଭାରୀ ଭରତ ବାଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.