
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସରରେ ଶ୍ରୀମଦ୍ ଭଗବତ ଗୀତାରେ ଜୀବନ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସାଂସ୍କୃତିକ ସମ୍ପାଦିକା କବିତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଂ ଅଭୟ କୁମାର ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ଗୀତା ହେଉଛି ଜୀବନ ଦର୍ଶନ । ମଣିଷ ଯେପରି ପୋଷାକ ପରିବର୍ତ୍ତନ କରେ ସେହିପରି ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀରରେ ସ୍ଥାନ ନିଏ । ମଣିଷ ଜୀବନ ଶ୍ରେଷ୍ଠ ଜୀବନ । ସୁଖ ଦୁଃଖକୁ ସମାନ ଭାବେ ଗ୍ରହଣ କରିବା ଦରକାର । ଜ୍ଞାନ ଉଦୟ ହେଲେ ସୁଖଦୁଃଖ ବୁଝିହୁଏ । ଗୀତାର ତତ୍ୱ ବୁଝିପାରିଲେ ସୁସ୍ଥ ସମାଜ ଗଠନ ହୋଇପାରିବ । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକ ସଞ୍ଜୀବ କୁମାର ଭୋଇ ଓ ବିକ୍ରମ ଆଚାର୍ଯ୍ୟ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ କବି ଗୌତମ ଦାସ ଓ ଏସ୍ ନାୟକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଗୀତାଞ୍ଜଳି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପାଠାଗାରର ଏକ ନୂତନ ମଣ୍ଡପ ସଭାପତି ଓ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ସେହିପରି ନିକଟରେ ଦୁଇ ସାରସ୍ୱତ ସାଧକ ଗିରି ଦଣ୍ଡସେନା ଓ କବିବର ପରିଡାଙ୍କ ବିୟୋଗରେ ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଜୟ ପ୍ରଧାନ, କମଳ ଆଚାର୍ଯ୍ୟ, ସୁବାସ ମହାପାତ୍ର, ବିଦ୍ୟୁତପ୍ରଭା ସାବତ, କିଶୋରୀ ମୋହନ କର, ବିଭୁଦତ୍ତ ବେହେରା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବିଜୟିନୀ ଜେନା, ସୁଭାଷିନୀ ସାହୁ, ନିରୁପମା ଚାନ୍ଦ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଶରତ ରାଉତ, ସୁପ୍ରିୟା ଜେନା, ଭୁବନେଶ୍ୱରୀ ମହାପାତ୍ର, ପ୍ରତ୍ୟୁଷା ନାୟକ, ରବିନ୍ଦ୍ର ଠାକୁର, ବିଜୟ ସ୍ୱାଇଁ, ଶ୍ରୀକାନ୍ତ ପାଣିଗ୍ରାହୀ, ମହାଦେବ ମାଝୀ, ଶରତ ମହାନ୍ତି, ପ୍ରିୟଙ୍କା ନାୟକ, ସ୍ନେହପ୍ରିୟ ବଳ, ସ୍ମୃତି ପତି, ସୁଧା ପତି, ମନୋରଞ୍ଜନ ମଣ୍ଡଳ, ଅରୁଣିମା ବାରିକ, କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ୱାଇଁ, ଜ୍ଞାନରଞ୍ଜନ ମିଶ୍ର, ଆଲୋକ ବୋଷ, ସଂଗ୍ରାମପ୍ରିୟ ତନ୍ତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।