jayashree

ବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଐତିହ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମର‌ ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନର ପ୍ରାରମ୍ଭରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀ, ବିଘ୍ନ ବିନାଶକ ଶ୍ରୀ ଗଣେଶ ଏବଂ ମହାକବି କାଳିଦାସଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଛାତ୍ରୀମାନଙ୍କ ଦ୍ୱାରା ବେଦମନ୍ତ୍ର ଓ ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରାଯାଇଥିଲା । ଏହି ଅବସରରେ ସଭାପତି ଶ୍ରୀ ବେହେରା ନିଜ ବକ୍ତବ୍ୟରେ ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ; ଏହା ଭାରତୀୟ ସାହିତ୍ୟ, ଦର୍ଶନ, ବିଜ୍ଞାନ ଓ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଆଧାର । ତେଣୁ ନୂତନ ପିଢ଼ି ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଓ ଭଲପାଇବା ସୃଷ୍ଟି କରିବା ଆବଶ୍ୟକ । ଏହାପରେ ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ନାୟକ “ସଂସ୍କୃତଂ ସଂସ୍କୃତିଃ ଭାରତସ୍ୟ ଗୌରବମ୍” — ଏହି ବାର୍ତ୍ତା ସହ ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ଅଭିଭାଷଣ ପ୍ରଦାନ କରିଥିଲେ । ସଂସ୍କୃତ ଦିବସ ଅବସରରେ ଶିକ୍ଷକ କହ୍ନେଇଲାଲ ସାହୁ ଓ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ସଂସ୍କୃତ ଭାଷାର ମହନୀୟତା ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରୀମାନେ ସ୍ୱପ୍ନା ମହଲା, ଝରଣା ମହଲା ଓ ଉର୍ମିଳା ପଟ୍ଟନାୟକ ନିଜ ନିଜର ଅନୁଭୂତି ବିନିମୟ କରିଥିଲେ । ଏହା ପରେ‌ ଛାତ୍ରୀମାନେ ସଂସ୍କୃତ ଭାଷଣ, ଶ୍ଲୋକ ଆବୃତ୍ତି, ସଂସ୍କୃତ ଗୀତ ଓ କବିତା ପାଠ ପରିବେଷଣ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ କର୍ମଚାରୀମାନଙ୍କ ସହଯୋଗରେ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ରୀ ସ୍ମୃତି ରେଖା ଜାଲ୍ ଅତି ଚମତ୍କାର ଭାବରେ ମଞ୍ଚ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ହକିର ଯାଦୁକର ମେଜର୍ ଧ୍ୟାନ ଚାନ୍ଦଙ୍କ ସ୍ମୃତିରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଥିଲା । ବିଦ୍ୟାଳୟ ଜୀବନରେ ପାଠପଢ଼ା ଯେତିକି ଆବଶ୍ୟକ, ଖେଳକୁଦ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ପାଠପଢ଼ା ସହିତ ପ୍ରତିଦିନ କିଛି ସମୟ ଖେଳକୁଦରେ ଅତିବାହିତ କରିବା ଉଚିତ ବୋଲି ପ୍ରଧାନଶିକ୍ଷକ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.