jayashree

ଭୀମଭୋଇ ସାହିତ୍ୟ ସମ୍ମାନ ପାଇଲେ କବି ବୃନ୍ଦାବନ କୁମ୍ଭାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାରସ୍ଵତ ସମାରୋହ ଅବସରରେ ସପ୍ତର୍ଷି ଭୀମଭୋଇ ସାହିତ୍ୟ ସମ୍ମାନ କବି ବୃନ୍ଦାବନ କୁମ୍ଭାର ଲାଭ କରିଛନ୍ତି । ମହିମା ସାହିତ୍ୟ ଓ ଦର୍ଶନର ପ୍ରଚାର ପ୍ରସାର କ୍ଷେତ୍ରକୁ ଆହୁରି ପାଦେ ଆଗେଇ ନେବାରେ କବି ବୃନ୍ଦାବନ ହେଉଛନ୍ତି ଅନ୍ୟତମ ସଫଳ ସ୍ରଷ୍ଟା । ଓଡ଼ିଶାର ବିଭିନ୍ନ ସାହିତ୍ୟ ପତ୍ରରେ ତାଙ୍କର ଭୀମଭୋଇଙ୍କ ଧର୍ମ ଓ ଦର୍ଶନ ସମ୍ବନ୍ଧିତ ଲେଖା ବରାବର ପ୍ରକାଶିତ ହୋଇ ଆସୁଛି । ବିଶେଷତଃ ଭୀମଭୋଇଙ୍କ “ସ୍ତୁତି ଚିନ୍ତାମଣି” କାବ୍ୟକୁ ପଶ୍ଚିମ ଓଡ଼ିଶାରେ ବ୍ୟବହୃତ ହେଉଥିବା ସମ୍ବଲପୁରୀ/କୋଶଲି ଭାଷାରେ ରୂପାନ୍ତରିତ କରି ଏହାକୁ ଆହୁରି ବ୍ୟାପକ ପାଠକୀୟତା ଦେବାରେ ସେ ଅନ୍ୟତମ ସ୍ରଷ୍ଟା । ଏହା ବ୍ୟତୀତ କବି ବୃନ୍ଦାବନ ପ୍ରାୟ ବିଂଶାଧିକ ପୁସ୍ତକ ରଚନା କରିବା ପୂର୍ବକ ଶିଶୁ ଲେଖା କ୍ଷେତ୍ରରେ ବେଶ୍ ଲୋକପ୍ରିୟ ଅଟନ୍ତି । ଜଣେ କୃତି ଶିକ୍ଷକ ଭାବେ ସେ ରାଜ୍ୟ କୃତି ସମ୍ମାନ ଲାଭ କରିଛନ୍ତି । ଅବସରାନ୍ତେ ଶିଶୁମାନଙ୍କର ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ରାଜ୍ୟ ତଥା ରାଜ୍ୟ ବାହାରେ ସକ୍ରିୟ ରହି ବେଶ ପ୍ରଶଂସିତ। ଏହା ବ୍ୟତୀତ ସେ “ଫୁଲ ବଗିଚା” ନାମକ ଏକ ଶିଶୁ ପତ୍ରର ସଂପାଦକ ମଧ୍ୟ ଅଟନ୍ତି । କବି ବୃନ୍ଦାବନ କୁମ୍ଭାରଙ୍କ ଶିଶୁ କବିତା ସଂକଳନ “ଫୁଲ ବଗିଚା” ନିକଟରେ ପ୍ରକାଶିତ ହେବ । ଜଣେ ମହିମା ଧର୍ମାବଲମ୍ବୀ ଓ ମହିମା ସାହିତ୍ୟର ସାଧକ ଭାବେ ଏହି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ଲାଭ କରିଥିବାରୁ ଏ ମାଟି ଗର୍ବିତ । ଏଥିପାଇଁ ସାରା ଓଡ଼ିଶାରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି । ବିଶେଷତଃ କବି ବୃନ୍ଦାବନ ଜିଲ୍ଲା ଲେଖକ ପରିଷଦ ବଲାଙ୍ଗିର, କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼, ବରିଷ୍ଠ ନାଗରିକ ସଂଘ ଟିଟିଲାଗଡ଼, ସାହିତ୍ୟ ସଂସ୍କୃତି ଟିଟିଲାଗଡ଼, ଓଡ଼ିଶାର ବିଭିନ୍ନ ଶିଶୁ ସାହିତ୍ୟ ଅନୁଷ୍ଠାନ, କୋଶଲି ସାଂସ୍କୃତିକ ମହାଜୋଟ ଟିଟିଲାଗଡ଼ ଓ ସଂପୃକ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ସକ୍ରିୟ ସଭ୍ୟ ରହିଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଉଠିଛି ।

Leave A Reply

Your email address will not be published.