କଳାହାଣ୍ଡି, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା ଜୟପାଟଣା ରେଞ୍ଜ ବିମଲା ଗାଁରେ ମଙ୍ଗଳବାର ବାଘ ଆତଙ୍କ ଦେଖାଦେଇଛି । ଘଟଣା ପରେ ବନ ବିଭାଗର ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ସତର୍କ କରାଯାଇଛି । ସୂଚନା ଯୋଗ୍ର ଯେ, ବିମଲା ଗ୍ରାମର କିଛି ଲୋକ ମଙ୍ଗଳବାର ସକାଳୁ ନିକଟସ୍ଥ କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ବାଘକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇବା ପରେ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ଓ ଜଙ୍ଗଲ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ପରେ ପ୍ରାଥମିକ ତଦନ୍ତରୁ କଲରାପତରିଆ ବାଘ ବୋଲି ଦକ୍ଷିଣ ବନଖଣ୍ଡ ଏସିଏଫ୍ ଅନୀଲ ରାୟ ସୂଚନା ଦେଇଛନ୍ତି । ଏପଟେ କଲରାପତରିଆ ବାଘ ବୋଲି ବିଭାଗୀୟ ସୂଚନା ମିଳିବା ପରେ ଏବେ ସ୍ଥାନୀୟ ଅଞ୍ଚଲରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପକ୍ଷରେ ଜୟପାଟଣା ପୋଲିସ ଓ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ସତର୍କ କରାଇଛନ୍ତି । ଟ୍ରାଙ୍କୁଲାଇଜ ଦଳ ନିଶ୍ଚେତକ ଔଷଧ ମାଧ୍ୟମରେ ବାଘକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରିରଖିଛି । ହେଲେ ଦୀର୍ଘ ୧୨ଘଣ୍ଟାରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ବାଘକୁ ଧରିବା ପାଇଁ ବନ ବିଭାଗ ସକ୍ଷମ ହୋଇପାରିନାହିଁ । ଘଟଣାସ୍ଥଳରେ ଜୟପାଟଣା ରେଞ୍ଜର ଶୈଳେଶ କୁମାର ବିଶି ସହ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ସଦଳବଳ ସହିତ ପହଞ୍ଚି ବାଘ ଗତିବିଧିକୁ ନିରିକ୍ଷଣ କରୁଛନ୍ତି ।