
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପଡାର କେତେକ ବ୍ୟକ୍ତିଙ୍କ ପରଲୋକ ହୋଇଥିବାରୁ ତାଙ୍କ ଆତ୍ମା ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ପଡାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ମାଲପଡାର ପରିବେଶ ସୁରକ୍ଷା ପାଇଁ ପଡାର ବିଭିନ୍ନ ସ୍ଥାନ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଅନ୍ୟ ଏକ ଆଲୋଚନା କ୍ରମେ ବିଦ୍ୟୁତ ବିଭାଗ ଦ୍ୱାରା ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ଅସୁବିଧା ସମ୍ମୁଖିନ ହେଉଛନ୍ତି ତେଣୁ ଏହି ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ସହରରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବଂ କୁକୁରମାନଙ୍କର ଆକ୍ରମଣର ଶିକାର ହୋଇ ଜନସାଧାରଣ ଆତଙ୍କିତ ହେଉଛନ୍ତି ଏବଂ ଜଳନ୍ତକ ରୋଗର ଶିକାର ହେଉଛନ୍ତି ତେଣୁ ଏହି ବୁଲା କୁକୁରମାନଙ୍କୁ ଦୂର ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ପାଇଁ ପୌର ପାଳିକାର ଦୃଷ୍ଟି ଆକର୍ଷଣ କରିବାକୁ ମତପ୍ରକାଶ ପାଇଥିଲା । ମାଲପଡା ସ୍କୁଲର ଭିଷଣ ବର୍ଷାରେ ବାଡା ଓ କୋଠରୀ ଭାଙ୍ଗିଯାଇଥିବାରୁ ତାକୁ ପୌର ପାଳିକା ଦ୍ୱାରା ନିର୍ମାଣ କରାଯାଇ ସମ୍ପୂର୍ଣ୍ଣ କରାଯାଇଥିବାରୁ ସଭ୍ୟମାନେ ପୌରପାଳିକା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଆଲୋଚନାରେ ସଂଘର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ସହ-ସଂପାଦକ ଅଶୋକ କୁମାର ଚାନ୍ଦ, କୋଷାଧ୍ୟକ୍ଷ ଦିବାକର ହୋତା, ବରିଷ୍ଠ ସଭ୍ୟ ବିମଲ କୁମାର ଚକ୍ରବର୍ତ୍ତି, ଦୟାସାଗର ବଗର୍ତ୍ତି, ନିମାଇଁ ଚରଣ ଦାଶ, ସୂର୍ଯ୍ୟଭାନୁ ମିଶ୍ର, ସନ୍ତୋଷ କୁମାର ସାହୁ, ସୁରେଶ ଚନ୍ଦ୍ର ଅଗ୍ରୱାଲ, ଦେବଜ୍ୟୋତି ଯୋଷୀ, ଶିବ ପ୍ରସାଦ ଶତପଥି, ଛବିଲାଲ ବେହେରା ଆଦି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।