
ବଲାଙ୍ଗିର, (କେପିଏନ୍ଏସ୍) : ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେଯାଇ ଆମେ ବିକଶିତ ଭାରତ ଗଠନ କରିପାରିବା । ବର୍ତ୍ତମାନର ଯୁବପିଢି ନୂତନ ଜ୍ଞାନ କୌଶଳର ଅଧିକାରୀ, ସେମାନଙ୍କ ଭିତରେ ନେତୃତ୍ୱ ନେବା ତଥା ଦେଶ ଗଠନ କରିବାର ଦକ୍ଷତା ରହିଛି, କେବଳ ସେମାନଙ୍କୁ ଜଣେ ଉତ୍ତମ ମାର୍ଗଦର୍ଶକ ଦରକାର । ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ-ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ଵାରା ଆୟୋଜିତ “ଆମ ଦେଶର ପ୍ରଗତିରେ ଯୁବପିଢିଙ୍କ ଭୂମିକା” ଶୀର୍ଷକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ଏଥିରେ ଟିଟିଲାଗଡ ଡ଼ିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ ଶବ୍ୟାରାଣୀ ସୁନା, ପୁଇଁତଲା ରେନବୋ କଲେଜର ଅଧ୍ୟାପକ ଦିଲୁ ବାଗ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ବ୍ୟୋମକେଶ ଦତ୍ତ ତ୍ରିପାଠୀ, ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସ୍ୱୟଂପ୍ରଭା ପୂଝାରୀ ଓ ଆଁଚଲ ମହାପାତ୍ର ଅତିଥିବକ୍ତା ଭାବରେ ଯୋଗଦେଇ ସାମ୍ପ୍ରତିକ ଯୁବପିଢିଙ୍କ ଭିତରେ ଦକ୍ଷତା, ପାରଦର୍ଶିତା ଓ ଦୂରଦୃଷ୍ଟି ରହିଛି, ନୂତନ ଜ୍ଞାନ କୌଶଳର ସେମାନେ ଅଧିକାରୀ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ସେମାନେ ସଫଳତା ପାଉଛନ୍ତି, ତେଣୁ ସେମାନଙ୍କୁ ସମାଜର ଶିକ୍ଷାବିତ ଏବଂ ବୁଦ୍ଧିଜୀବୀମାନେ ସଠିକ୍ ମାର୍ଗଦର୍ଶନ କରି ଉତ୍ସାହିତ କରିବା ଆବଶ୍ୟକ ବୋଲି ମତ ରଖିଥିଲେ । ପରେ ପରେ ମତ ବିନିମୟ କାର୍ଯ୍ୟକ୍ରମରେ ଜିଲ୍ଲା ପାଠାଗାରର ଛାତ୍ର ଜିତେନ୍ଦ୍ର ଛତ୍ରିଆ, କବୟିତ୍ରୀ କସ୍ତୁରୀ ରଥ ଓ ଅନୁପ୍ରିୟା ମିଶ୍ର ନିଜ ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ‘ରଚନା’ର ବରିଷ୍ଠ ସଦସ୍ୟ ଓଁ ପ୍ରଣବ ନାୟକ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ହରେକୃଷ୍ଣ ନାୟକ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ, ସାହିତ୍ୟିକ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।