jayashree

ପ୍ରୟାଗରାଜ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବଲାଙ୍ଗିରରେ ରହିବ

  • ବଲାଙ୍ଗିର ନାଗରିକ କମିଟିର ପ୍ରୟାସକୁ ପ୍ରଶଂସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲଷ୍ଟେସନରେ ପ୍ରୟାଗରାଜ-ବିଶାଖାପାଟଣା ଟ୍ରେନ ରହଣି ପାଇଁ ଗତ କାଲି ବଲାଙ୍ଗିର ନାଗରିକ କମିଟି ତରଫରୁ ବଲାଙ୍ଗିର ଗସ୍ତରେ ଥିବା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲାଙ୍କୁ ସାକ୍ଷାତ କରି ଦାବୀପତ୍ର ଦେବା ସଙ୍ଗେସଙ୍ଗେ ଉକ୍ତ ଟ୍ରେନ ରହଣିପାଇଁ ଅନୁରୋଧ କରିଥିଲେ । ଶ୍ରୀ ଫୁଙ୍କୱାଲା ତତ୍‌କ୍ଷଣାତ ନିଷ୍ପତ୍ତି ନେବାପାଇଁ ଉଚ୍ଚ କତ୍ତୃପକ୍ଷଙ୍କୁ ସୁପାରିସ କରିଥିଲେ । ଫଳରେ ଉକ୍ତ ପ୍ରୟାଗରାଜ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ନଂ. ୦୪୧୫୯/୦୪୧୬୦ ପ୍ରତ୍ୟେକ ଶୁକ୍ରବାର ଦିନ ପ୍ରୟାଗରାଜରୁ ବାହାରି ବିଶାଖାପାଟଣା ଯିବାଆସିବା କରିବ ଏବଂ ବଲାଙ୍ଗିରରେ ୨ ମିନିଟ୍‌ ପାଇଁ ଅତିରିକ୍ତ ରହଣି ଆଦେଶ ହୋଇସାରିଛି । ଏହି ପତ୍ର ଆସିବା ପରେ ନାଗରିକ କମିଟି ସଭାପତି ଡ. ଶ୍ରୀକର ମିଶ୍ର ରେଲୱେ ବିଭାଗ ତଥା ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲାଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ଏବଂ ପୁରୁଣା ଦାବୀ ବଲାଙ୍ଗିରରେ ପିଟ୍‌ ଲାଇନ, ପ୍ରୟାଗରାଜ ଓ ନୂଆଦିଲ୍ଲୀକୁ ସିଧାସଳଖ ଟ୍ରେନ ଚଳାଚଳ, ଭୁବନେଶ୍ୱରକୁ ସକାଳୁଆ ଟ୍ରେନ, ଇସ୍ପାତ ଏକ୍ସପ୍ରେସକୁ ଠିକ୍‌ ସମୟରେ ଚଳାଚଳ, ବଲାଙ୍ଗିର ଖୋର୍ଦ୍ଧା ରେଳ ଚଳାଚଳ ଆଦି ଉପରେ ଅନୁଧ୍ୟାନ କରି ଶୀଘ୍ର ପଦକ୍ଷେପ ନେବାପାଇଁ ଅନୁରୋଧ କରାଯାଇଛି । ଅନ୍ୟପଟେ ବଲାଙ୍ଗିର ନାଗରିକ କମିଟିର ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.