
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସୋସିଏସନ ଅଫ୍ ଓଡିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୋଇଜ୍ ଆସୋସିଏସନର ୨୦ ଦଫା ଦାବିପତ୍ର ପୂରଣ ପାଇଁ ବଲାଙ୍ଗିର ସ୍ଥିତ ଆଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଆଖପାଖ ଅଂଚଳରୁ ପ୍ରାୟ ୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ । ଏହି ଆନ୍ଦୋଳନକୁ ଅବସରପ୍ରାପ୍ତ କର୍ମଚାରୀ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଥିବା ବେଳେ, ସଂଘର ସାଧାରଣ ସମ୍ପାଦକ କିଶୋର ପୁରୋହିତ କର୍ମଚାରୀଙ୍କୁ ଏକ ଜୁଟ ରହିବା ପାଇଁ କହିଥିଲେ । ସହକାରୀ ସାଧାରଣ ସମ୍ପାଦକ ହୃଦାନନ୍ଦ ମିଶ୍ର ୨୦ ଦଫା ଦାବି ଉପରେ ଆଲୋକପାତ କରି ଲକ୍ଷ୍ୟ ହାସଲ ନ ହେବା ଯାଏଁ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ ପଲ୍ ଆଲେକ୍ସ ଏକ୍କା ମ୍ୟାନେଜମେଣ୍ଟ ସହ ହୋଇଥିବା ବୈଠକର ଅଭିଜ୍ଞତା ବାଣ୍ଟିଥିବା ବେଳେ, କମ୍ରେଡ ଉତ୍କଲିକା ନାୟକ ମ୍ୟାନେଜମେଣ୍ଟର ନୀତି ଯୋଗୁଁ ମହିଳା କର୍ମଚାରୀମାନେ ଭୋଗୁଥିବା ସମସ୍ୟା ବିଷୟରେ ବକ୍ତବ୍ୟ ରଖିଥିଲେ । ତେବେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି ।