
ଜୟପାଟଣା, (ଶେଷଦେବ ବେହେରା) : ଅନେକ ବର୍ଷ ଧରି ଦୟନୀୟ ଅବସ୍ଥାରେ ପଡ଼ି ରହି ଲୋକଙ୍କ ପାଇଁ ସଂଯୋଗ ବ୍ୟବସ୍ଥାରେ ଅଭିଶାପ ପାଲଟିଥିବା ଇନ୍ଦ୍ରାବତୀ ପ୍ରକଳ୍ପର ଜୀବନ ରେଖା ପାଲଟିଥିବା ମହୁଲପାଟଣା ଘାଟି ରାସ୍ତାର ଏବେ ନବେ ପ୍ରତିଶତ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି । ପ୍ରକଳ୍ପ ଆରମ୍ଭରୁ ଶକ୍ତି ଗୃହ, ସର୍ଜ୍ ସାଫ୍ଟ, ଇଣ୍ଟେକ୍ ୱେଲ, ଜଳଭଣ୍ଡାର ସହ ଇନ୍ଦ୍ରାବତୀ ମୁଖ୍ୟ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଏହି ଘାଟି ରାସ୍ତାର ମୁଖ୍ୟତଃ ୧୨ କିଲୋମିଟର ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲା । ସଂପୃକ୍ତ ରାସ୍ତା ପୁଣି ଜଳବନ୍ଦୀ ଅଂଚଳ ସହିତ ଜଳ ଭଣ୍ଡାରର ପାର୍ଶ୍ଵରେ ରହିଥିବା ମହୁଲପାଟଣା, ପାଡେପଦର, ତଳନାଗି ପଞ୍ଚାୟତ ମାନଂକ ପାଇଁ ଏକ ମାତ୍ର ଭରସା ପାଲଟିଥିଲା । ସଂପୃକ୍ତ ଅଂଚଳର ଅଧିବାସୀମାନଙ୍କ ସହିତ ଅପର ପାର୍ଶ୍ଵରେ ରହିଥିବା ଅଡ୍ରୀ, ମାଲି ଗାଁ, ଗୋପିନାଥପୁର ପଞ୍ଚାୟତ ଭଳି ପଞ୍ଚାୟତ ମାନଙ୍କ ପାଇଁ ସାହାରା ପାଲଟିଥିଲା । ଏହି ସବୁ ଅଞ୍ଚଳର ଅଧିବାସୀମାନଙ୍କ କ୍ରମାଗତ ଅଭିଯୋଗ ଫଳରେ କତ୍ର୍ତ୍ତୃପକ୍ଷ କେପେକ୍ସ ଅନୁଦାନରୁ ୮.୧୫କୋଟି ଟଙ୍କା ବିନିମୟରେ ଟେଣ୍ଡର ଆହ୍ୱାନ କରୁଥିଲେ । ବାର କିଲୋମିଟର ରାସ୍ତାକୁ ଚାରିଭାଗରେ ବିଭକ୍ତ କରି ଗତ ଫେବୃଆରୀ ମାସରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଏବେ ନବେ ପ୍ରତିଶତ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିବା ଦେଖିବାକୁ ମିଳିଛି । ପରବର୍ତ୍ତୀ ଦଶ ପ୍ରତିଶତ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ଏହି ରାସ୍ତାର ପୂର୍ଣ୍ଣାଙ୍ଗ ସହିତ ମହୁଲପାଟଣା ଇଣ୍ଟେକ ୱେଲ ଠାରୁ ଖାତିଗୁଡ଼ା ପର୍ଯ୍ୟନ୍ତ ରାସ୍ତାର ସମ୍ପୂର୍ଣ୍ଣ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।