
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗରଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଧାନାଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥି ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡାଙ୍କ ସମେତ ଅତିଥି ଭାବେ ପରିଚାଳନା ସମିତିର ସଭାପତି ପଦ୍ମଚରଣ ସାହୁ, ସମ୍ପାଦକ ସନ୍ତୋଷ କୁମାର ସାହୁ, ଉପସଭାପତି ଗୀତା ପାଢୀ, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକଙ୍କ ସମତେ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ଗଣିତ, ବିଜ୍ଞାନର ପ୍ରକଳ୍ପ ଓ ପ୍ରୟୋଗ, ସଂସ୍କୃତିଜ୍ଞାନର ସମସ୍ତ ବିଷୟ ସହିତ ମୂର୍ତ୍ତିକଳା, ପତ୍ରବାଚନ, ପ୍ରଶ୍ନମଞ୍ଚ ଓ କଥାକଥନ ଇତ୍ୟାଦିରେ ୨୯୨ ଜଣ ଶିଶୁ ପ୍ରତିଭାଗୀ ଯୋଗ ଦେଇଥିଲେ । ସେହିପରି ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦାନୀ ଫାଉଣ୍ଡେସନର ସିଏସ୍ଆର୍ ଦେବବ୍ରତ ମିଶ୍ର ଯୋଗଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ସ୍ଥାନୀୟ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଗଣିତ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଚ଼ାରକ ଭାବେ ଯୋଗ ଦେଇଥିଲେ । ପ୍ରାପ୍ତ ସୂଚ଼ନା ଅନୁସାରେ ବିଜ୍ଞାନ ମେଳାରେ ଶିଶୁମାନଙ୍କୁ ୩ଟି ବର୍ଗରେ ଯଥା:- ୪ର୍ଥ ଓ ୫ମ ଶିଶୁମାନଙ୍କୁ ଶିଶୁ ବର୍ଗ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଶିଶୁମାନଙ୍କୁ ବାଲବର୍ଗ, ୯ମ ଓ ୧୦ମ ଶିଶୁମାନଙ୍କୁ କିଶୋର ବର୍ଗରେ ବିଭକ୍ତ କରାଯାଇଥିଲା । ଏଥିରେ ପ୍ରଥମ ହୋଇଥିବା ଶିଶୁମାନେ ଗଞ୍ଜାମ ଜିଲ୍ଲାର ରମ୍ଭା ଠାରେ ଅବସ୍ଥିତ ଶିଶୁ ମନ୍ଦିରେରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂକୁଳସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେବାର ସୁଯୋଗ ମିଳିବ ବୋଲି କୁହାଯାଇଛି ।