jayashree

ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ : ଦାବି ଓ ଆପତ୍ତି ଦାଖଲ ଅବଧି ୧୯ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟସୀମାକୁ ଭାରତ ନିର୍ବାଚନ ଆୟୋଗ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏ ସମ୍ପର୍କିତ ଆଧିକାରୀକ ବିଜ୍ଞପ୍ତି ଗୃହ (ନିର୍ବାଚନ) ବିଭାଗ ପକ୍ଷରୁ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଛି । ୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ଭାରତ ନିର୍ବାଚନ ଆୟୋଗ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି । ରାଜ୍ୟରେ ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଯୋଗ୍ୟ ଭୋଟରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଓ ଅର୍ନ୍ତଭୁକ୍ତିମୂଳକ କରିବା ଉଦ୍ଦେଶ୍ୟରେ ଏହି ସମୟ ବୃଦ୍ଧି କରାଯାଇଛି । ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଲନଙ୍କ ଅନୁରୋଧ କ୍ରମେ, ରେଜିଷ୍ଟ୍ରେସନ୍‌ ଅଫ୍‌ ଇଲେକ୍ଟ୍ରୋସ୍‌ ରୁଲ୍‌ସ୍‌ ୧୯୬୦ର ରୁଲ୍‌ ୧୨ ଅନୁଯାୟୀ ଭାରତ ନିର୍ବାଚନ ଆୟୋଗ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖକୁ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଚିଠା ଭୋଟର ତାଲିକାରେ ସାମିଲ ହୋଇନାହିଁ କିମ୍ବା ଭୋଟର ତାଲିକାରେ ଥିବା ତଥ୍ୟରେ କୌଣସି ତ୍ରୁଟି ରହିଛି, ସେମାନେ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିପାରିବେ । ଏହି ଅବଧି ମଧ୍ୟରେ ଫର୍ମ-୬ ମାଧ୍ୟମରେ ନୂତନ ଭୋଟର ଭାବେ ପଞ୍ଜୀକରଣ, ଫର୍ମ-୭ ମାଧ୍ୟମରେ ନାମ ବିଲୋପ ପାଇଁ ଆବେଦନ ଏବଂ ଫର୍ମ-୮ ମାଧ୍ୟମରେ ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ପାଇଁ ଆବେଦନ କରାଯାଇପାରିବ । ୦୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ସମସ୍ତ ଯୋଗ୍ୟ ନାଗରିକ ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ନୋଟିସ ପ୍ରଦାନ, ଶୁଣାଣି ଓ ଦାବି-ଆପତ୍ତିର ନିଷ୍ପତ୍ତି ପ୍ରକ୍ରିୟା ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ । ଏହା ପରେ ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଏହି ବର୍ଦ୍ଧିତ ସମୟସୀମାର ସୁଯୋଗ ନେଇ ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା କିମ୍ବା ଆବଶ୍ୟକ ସଂଶୋଧନ କରାଇବା ପାଇଁ ଆହ୍ୱାନ ଜଣାଇଛନ୍ତି ।

Leave A Reply

Your email address will not be published.