
- ଆମର ଅତୀତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ – ଡ.ସାକିର ହୁସେନ
ତରଭା, (କେପିଏନ୍ଏସ୍) : ଆଜି ଓଡିଶାର ସ୍ୱନାମଧନ୍ୟ ଐତିହାସିକ, ଗବେଷକ, ସାହିତ୍ୟିକ, ସଂଗୀତଜ୍ଞ ତଥା ମହିମାଭକ୍ତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ନବମ ଶ୍ରାଦ୍ଧଦିବସ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । ଡ. ସଦାନନ୍ଦ ଅଗ୍ରୱାଲ ସ୍ମୃତି କମିଟି ଓ ଏମ୍ବିଆର୍ ଡିଗ୍ରୀକଲେଜର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧଦିବସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହିତ ସ୍ମୃତି ବକ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନ ୧୦ଟାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଦାନ ଶିବିର ଓ ଚକ୍ଷୁପରୀକ୍ଷା ଶିବିରକୁ ଉଦଘାଟନ କରିବା ସହ କଲେଜ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ । ପରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିବକ୍ତବ୍ୟ ସଭାରେ ମୁଖ୍ୟବକ୍ତା ଭାବରେ ଓଡିଶାର ସ୍ୱନାମଧନ୍ୟ ଯୁବଗବେଷକ ଐତିହାସିକ ସୁନ୍ଦରଗଡ ଅଟୋନୋମସ ମହାବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରଧ୍ୟାପକ ଡ.ସାକିର ହୁସେନ ଯୋଗଦେଇ “ସୁବର୍ଣ୍ଣପୁରର ଇତିହାସ ଓ ପ୍ରତ୍ନତାତ୍ୱିକ ଅବଶେଷ” ଉପରେ ବକ୍ତବ୍ୟ ଦେଇଥିଲେ । ଡ. ସାକିର ହୁସେନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆମ ଅଞ୍ଚଳ ଅତୀତର ଐତିହାସିକ ପୃଷ୍ଠଭୂମିର ଏକ ଗୌରବୋଜ୍ୟୋଳ ଇତିହାସ ରହିଛି । ପ୍ରାୟ ୫୫୦୦ ବର୍ଷର ଏକ ଦୀର୍ଘସମୟର ଇତିହାସ ବିଷୟରେ ଗବେଷଣା ହୋଇଛି । ଆମେ ଆମର ଅତୀତର ଇତିହାସକୁ ସଠିକ ଭାବରେ ଜାଣିବାର ଆବଶ୍ୟକତା ରହିଛି । ଅତୀତର ଇତିହାସ ଆମର ଭବିଷ୍ୟତ ଗଠନରେ ସହାୟ ହୋଇଥାଏ ବୋଲି ଡ. ହୁସେନ ମତ ଦେଇଥିଲେ । ସ୍ୱର୍ଗତ ଡ. ଅଗ୍ରୱାଲ ଓଡିଶାର ଅନେକ ଅନାଲୋଚିତ ଇତିହାସକୁ ଗବେଷଣା ମାଧ୍ୟମରେ ଲୋକ ଲୋଚନକୁ ଆଣିପାରିଥିଲେ । ମାତ୍ର ମାଟ୍ରିକ ପାଠ ପଢି ସେ ନିଜର ଅଧ୍ୟବସାୟବଳରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ଗବେଷଣାରେ ସଫଳ ହୋଇଥିଲେ । ତାଙ୍କର ଅନେକ ଗବେଷଣାଲବ୍ଧ ତଥ୍ୟ ଆମକୁ ନୂଆ ଗବେଷଣା ପାଇଁ ସହାୟକ ହେଉଛି ବୋଲି ସେ କହିଥିଲେ । କେବଳ ସୁବର୍ଣ୍ଣପୁରରେ ପ୍ରାୟ ୧୦ଟି ଯଥା-ହିକୁଡି, ଖମ୍ବେଶ୍ୱରୀପାଲି, କପାଶିରା, ସୁବଳୟା, କେନଜରିଆପାଲି, କୁମେରସିଙ୍ଘା, ନୂଆଗଡ-ଅସୁରଗଡ, ତାରାପୋରଗଡ, ଭୁତିଆପାଲି, ହଲଦିପାଲି ଇତ୍ୟାଦି ସ୍ଥାନରେ ବହୁପୁରାତତ୍ୱ ଅବଶେଷ ମିଳୁଛି ଯାହାକି ଆମର ଏକ ମହାନ ସଭ୍ୟତା ବିଷୟରେ ସୂଚନା ଦେଇଛି ବୋଲି ଡ. ସାକିର ମତ ଦେଇଛନ୍ତି । ବରେଣ୍ୟ ଅତିଥି ଭାବରେ ସନ୍ଥକବି ଭୀମଭୋଇଙ୍କ ସମାଧିପୀଠର ମଠାଧିଶ ସନ୍ୟାସୀ ବାବା, ପୀଠର ମେନେଜିଂଟ୍ରଷ୍ଟି ଛତ୍ରାଧାରୀ ଅଗ୍ରୱାଲ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚିଦାନନ୍ଦ ରଥ, ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେର, ପିକେଏସ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସମାଜକର୍ମୀ ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିଚାରଣ କରିଥିଲେ । କଲେଜର ଟପ୍ପର ହୋଇଥିବା ଲିଜାରାନୀ ମେହେରଙ୍କୁ ମାନପତ୍ର ଓ ଅର୍ଥରାଶି ଦେଇ ପୁରସ୍କୁତ କରାଯାଇଥିଲା । ଏହି ଅବସରରେ ୩୦ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ସେହିପରି ମହାନଦୀ ନେତ୍ର ଚିକିତ୍ସାଳୟ ଦ୍ୱାରା ଆୟୋଜିତ ମାଗଣା ଚକ୍ଷୁ ଶିବିରରେ ୭୦ଜଣ ରୋଗୀ ମାଗଣାରେ ଚକ୍ଷୁପରୀକ୍ଷା କରାଇଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡ. ପ୍ରମୋଦ ମେହେର, ସତ୍ୟବ୍ରତ ତାଣ୍ଡି, ଜଗତ ଦରୱାନ, ଯୁଧିଷ୍ଠିର ନାଏକ, ଟଙ୍କଧର କୁଅଁର, ଧିରେନ୍ଦ୍ର ଝାଙ୍କର ପରିଚାଳନା କରିଥିବା ବେଳେ ଚକ୍ଷୁ ପରୀକ୍ଷା ଶିବିରକୁ ମହାନଦୀ ନେତ୍ର ଚିକିତ୍ସାଳୟର ସୁଜିତ ଥପା, ମନୋଜ ସାହୁ, ସିଦ୍ଧାନ୍ତ କୁମାର ଦାସ, ଶୁଭଲକ୍ଷ୍ମୀ ଭୁକ୍ତା, ସୁପ୍ରୀୟା ପାତ୍ର, ରିଙ୍କି ଭୋଇ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ସ୍ମୃତିକମିଟିର ସିଦ୍ଧାର୍ଥ ଅଗ୍ରୱାଲ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଏମ୍ବିଆର୍ ସେକେଣ୍ଡାରୀ ସ୍କୁଲ, ଡିଗ୍ରୀ କଲେଜ, ମେଣ୍ଡା ହାଇସ୍କୁଲ, ଶିଶୁ ବିଦ୍ୟା ମନ୍ଦିର ପ୍ରମୁଖ ଅନୁଷ୍ଠାନରୁ କର୍ମକର୍ତ୍ତାଗଣଙ୍କ ସମେତ ତରଭାର ସାମ୍ବାଦିକଗଣ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଝାଙ୍କର, ସନ୍ତୋଷ ଦାସ, ଟଙ୍କଧର ମେହେର, ବିଶ୍ୱାମିତ୍ର ନାଏକ, ରାମ ଚନ୍ଦ୍ର ସା, ଚୈତନ୍ୟ ବାରିକ, ଭିକାରୀ ମେହେର, ତାରାବତୀ ଅଗ୍ରୱାଲ, ଚଞ୍ଚଳ ଅଗ୍ରୱାଲ, ମଧୁସ୍ମିତା ପଣ୍ଡା, ପାଇକବାହାଲ ସରପଞ୍ଚ ଗଣନାଥ ସାହୁ, କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ, ରାଜୀବ ଯୋଷି, ମହାଦେବ ଜେନା, ହୃଷିକେଶ ପାତ୍ର, ପଦ୍ମନାଭ ମଲ୍ଲିକ, ଶତୃଘ୍ନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଏକ ବୃତ୍ତଚିତ୍ର ପ୍ରଦର୍ଶନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

