
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ଏକ ମାଗଣା ରୋଗ ନିରୂପଣ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ଜିଲ୍ଲା ଟୋଲବ୍ରାହ୍ମଣୀ ଗ୍ରାମର ବୈଦ୍ୟରାଜ ପବିତ୍ର ଶବର ଯୋଗଦେଇ ଦୀର୍ଘ ବର୍ଷ ଧରି ପୁରାତନ ପାରମ୍ପରିକ ଜ୍ଞାନ କୌଶଳ ‘ଖପରୀ ଟେଷ୍ଟ’ ମାଧ୍ୟମରେ ପରିସ୍ରା ଦେଖି ଶରୀରରେ ଥିବା ସମସ୍ତ ପ୍ରକାର ବ୍ୟାଧି ନିରୂପଣ କରିଥିଲେ । ଏହି ରୋଗ ନିରୂପଣ ପଦ୍ଧତି ଓ ଆୟୁର୍ବେଦିକ ଚିକିତ୍ସା ପ୍ରତି ଲୋକଙ୍କ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇ ଶତାଧିକ ମହିଳା ଓ ପୁରୁଷ ମାଗଣାରେ ରୋଗ ନିରୂପଣର ସୁଯୋଗ ନେଇଥିଲେ । ଶରୀରରେ ଥିବା ସମସ୍ତ ପ୍ରକାର ଜଟିଳ ବ୍ୟାଧି ପରିସ୍ରା ଦେଖି ଗୋଟିଏ ମିନିଟରେ ନିର୍ଭୁଲ ନିର୍ଣ୍ଣୟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଏହି ପୁରାତନ ପଦ୍ଧତି ଉପରେ ଗବେଷଣା ହୋଇ ପ୍ରୋତ୍ସାହିତ କରିବା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ବୈଦ୍ୟରାଜଙ୍କୁ ସହଯୋଗୀ ରୂପଧର ଶବର, ଓମପ୍ରକାଶ ଛତ୍ରିଆ, ମିଳନ ଭୋଇ ଓ ମାୟାରାମ ଛତ୍ରିଆ ସହାୟତା କରିଥିଲେ । ମହିଳା ସମିତିର ସଭାନେତ୍ରୀ ମନ୍ଦାକିନୀ ପତି, ସମ୍ପାଦିକା ରିନୁ ପତି, ବରିଷ୍ଠ ସଦସ୍ୟା ମମତା ମିଶ୍ରଙ୍କ ନେତୃତ୍ୱରେ ଅଞ୍ଜନା, ପଦ୍ମିନୀ, ସଲୋନି, ସଙ୍ଗୀତା, ମୀନା, ଦିବ୍ୟକାନ୍ତି, ସ୍ଵାଧିନୀ, ସୌଭାଗ୍ୟଲକ୍ଷ୍ମୀ, ସଂଘମିତ୍ରା, ବାସନ୍ତୀ, ସୁରମା, ସୁଧାଂଶୁବାଳା, ନୁରାବତୀ, ଜୟଗିତା, ଇନ୍ଦ୍ରାଣୀ, ଗୀତାଞ୍ଜଳି, ସଂଯୁକ୍ତା, ଜୟଶ୍ରୀ, ମଞ୍ଜୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।