pr

ବନ୍ୟା ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନିକ ସମନ୍ୱୟ ବୈଠକ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ଲଗାଣ ବର୍ଷାର ପାଣି ନିଷ୍କାସିତ ହୋଇନପାରି ବିଭିନ୍ନ ନାଳ, ଲୁଣା ନଦୀ ତଥା କ୍ଷେତରେ ଜମି ରହିଛି । ଏପରି ସମୟରେ ମହାନଦୀର ତଳ ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀ ଓ ତାର ଶାଖା ଦୟା ନ‌ଦୀରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଦୟା ନଦୀ ବାମ ପାର୍ଶ୍ଵ ବନ୍ଧର କଣ୍ଟି କାଜ ଦେଇ ବନ୍ୟା ଜଳ ପ୍ରବାହ ହେଲେ ଡେଲାଙ୍ଗ ବ୍ଲକର ପ୍ରଭାବିତ ହେବାକୁ ଥିବା ଗ୍ରାମପଂଚାୟତ ଓ ଗ୍ରାମରେ ଉଦ୍ଧାର ଓ ଆଶ୍ରୟ କାର୍ଯ୍ୟକ୍ରମର ସୁପରିଚାଳନା ଲକ୍ଷ୍ୟ ନେଇ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ବନ୍ୟା ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନିକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟସ୍ଥ ସଭା କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଡ଼ିଓ ସମୀର ବେହେରା ଅଧ୍ୟକ୍ଷତା କରିଥିଲେ । ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ସୁଶାନ୍ତ କୁମାର ରାଉତ, ଡା. ସି ପି ଦାସ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ମହାରଣା, ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଳାନ ଜଗଦେବ, ପ୍ରାଣୀଧନ ଚିକିତ୍ସାକେନ୍ଦ୍ରର ଡା. ପ୍ରୀତିତୋଷ ମହାପାତ୍ର, ଡା. ସବରଜିତ ମହାନ୍ତି, ସ୍ୱାସ୍ଥ୍ୟ ମିଶନ ବ୍ଲକ ପରିଚାଳକ ଦିଲ୍ଲୀପ କୁମାର ପରିଡା, ଉଦ୍ୟାନ କୃଷି ଅଧିକାରୀ ବିଷ୍ଣୁପ୍ରିୟା ବେହେରା, ସହକାରୀ ମତ୍ସ୍ୟଚାଷ ଅଧିକାରୀ ନିରୁପମା ଚିନରା, ଟିପିସିଓଡିଏଲ (ବିଦ୍ୟୁତ) ସହକାରୀ ଯନ୍ତ୍ରୀ ରାକେଶ କୁମାର ପଟ୍ଟନାୟକଙ୍କ ସମେତ ଅଗ୍ନିଶମ ଅଧିକାରୀ, ବ୍ଲକ ବିପଣନ ଅଧିକାରୀ, ପାନୀୟ ଜଳ ଯୋଗାଣ ଓ ପରିମଳ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଇଓ ମାନେ ନିଜ ନିଜ ବିଭାଗରେ ଉପଲବ୍ଧ ସାଧନ, ସମ୍ୱଳ, ସାମଗ୍ରୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କଲ୍ୟାଣପୁର, ଗୁଡ଼ୁପାଇଲ, ଧାନକେରା, ଅଭୟମୁଖୀ ବାତ୍ୟାବନ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖିବା ସହ ଆଲୋକ, ଖାଦ୍ୟ, ପାଣି, ଶୁଖୁଲା ଖାଦ୍ୟ, ଔଷଧ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ବିଡ଼ିଓ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ସମୟରେ ସାଧାରଣତଃ ସୃଷ୍ଟି ହେଉଥିବା ଥଣ୍ଡା ସର୍ଦ୍ଦି, କାଶ, ଚର୍ମରୋଗ, ଝାଡା ବାନ୍ତି ଆଦି ରୋଗ ପାଇଁ ଔଷଧ, ଯଥେଷ୍ଟ ପରିମାଣର ଓ ଆର୍‌ ଏସ୍‌ ପାଉଡର ମହଜୁଦ ରହିଥିବା ସହ ୧୫ ଟି ସ୍ୱାସ୍ଥ୍ୟ ଟିମ ଜରିଆରେ ସ୍ୱାସ୍ଥ୍ୟସେବା ଯୋଗାଇବା ବ୍ୟବସ୍ଥା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର ପାଇଁ ରହିଥିବା ଆବଶ୍ୟକୀୟ ଉପକରଣ ଓ ମାନବ ସମ୍ୱଳ ସମ୍ପର୍କରେ ତଥ୍ୟ ରଖିଥିଲେ । ସେହିପରି ବନ୍ୟାଜଳ ପ୍ରବେଶ କରିବା ପୂର୍ବରୁ ମତ୍ସ୍ୟଚାଷ ହୋଇଥିବା ପୋଖରୀକୁ ପ୍ଲାଷ୍ଟିକ ଜାଲ ଘେରାଇବା ପାଇଁ ଚାଷୀମାନଙ୍କୁ ଅବଗତ କରାଯାଇଥିବା ମତ୍ସ୍ୟ ଅଧିକାରୀ ସୂଚନା ଦେଇଥିଲେ । ଜଳବନ୍ଦୀ ଅଂଚଳର ଗାଈଗୋରୁ, ମଇଁଷି, ଛେଳି ମେଣ୍ଢାଙ୍କ ପାଇଁ ଖାଦ୍ୟ ଓ ଔଷଧ ମହଜୁଦ ରହିଥିବା ପ୍ରାଣୀଧନ ଅଧିକାରୀ ସୂଚନା ଦେଇଥିଲେ । ଖାଦ୍ୟ ଓ ଯୋଗାଣ ବିଭାଗ ବିପଣନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକୀୟ ଶୁଖୁଲା ଖାଦ୍ୟ ଚୂଡ଼ା ଓ ଗୁଡ଼ ପ୍ରସ୍ତୁତ ରହିଥିବା ବେଳେ ବନ୍ୟା ଛାଡ଼ିବା ପରେ କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କ୍ଷୟ କ୍ଷତି ଆକଳନ କରାଯାଇ ସରକାରଙ୍କ ଅନୁମୋଦନ କ୍ରମେ ବିହନ ଓ ସାର ଯୋଗାଇଦିଆଯିବ ବୋଲି ଅବଗତ କରାଯାଇଥିଲା । ବନ୍ୟା ବିପର୍ଯ୍ୟୟ ସମୟରେ ବିଦ୍ୟୁତ ସରବରାହ ସୁନିଶ୍ଚିତ ରଖିବା ପାଇଁ ଟିମ ପ୍ରସ୍ତୁତ ରହିଥିବା ସହକାରୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୈଠକରେ ଆଶ୍ୱାସନା ଦେଇଥିଲେ । ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ମିଶ୍ର ବିପର୍ଯ୍ୟୟ ସମୟରେ ଦଳଗତ ଉତ୍ସାହ ଓ ସାମର୍ଥ୍ୟ ରଖ୍ ସମସ୍ତ ପଦାକାରୀ କାର୍ଯ୍ୟ କରିବାକୁ ନିବେଦନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.