
- ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଭୋଗାପୁରମରେ ₹୧୭,୯୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
- ଭୋଗାପୁରମଠାରେ ଅଲ୍ଲୁରୀ ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
- ₹୫,୬୪୦ କୋଟି ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଗ୍ରୀନ୍ଫିଲ୍ଡ ବିମାନବନ୍ଦର; ବିମାନ ସଂଯୋଗ ସୁଦୃଢ଼ ସହ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ
- ଆନ୍ଧ୍ରପ୍ରଦେଶର ପରମ୍ପରା ଓ ପ୍ରକୃତିର ଛାପ; ‘ଚୁଟ୍ଟିଲୁ’ କୁଟୀର, ଆରାକୁ ଉପତ୍ୟକା ଓ ଉଡ଼ନ୍ତା ମାଛରୁ ଅନୁପ୍ରାଣୀତ ଟର୍ମିନାଲ୍ ଡିଜାଇନ୍
- ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
- ମୈସୁରୁସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତି ଯୁବକେନ୍ଦ୍ର – ବିବେକ ସ୍ମାରକର ଉଦଘାଟନ କରିବେ
- ବିବେକ ସ୍ମାରକ ୧୮୯୨ ମସିହା ନଭେମ୍ବର ମାସରେ ସ୍ୱାମୀ ବିବେକାନନ୍ଦଙ୍କ ମୈସୁରୁ ଗସ୍ତର ଐତିହାସିକ ସ୍ମୃତିକୁ ବହନ କରେ
- ବିବେକ ସ୍ମାରକ ମୂଲ୍ୟବୋଧ-ଭିତ୍ତିକ ଶିକ୍ଷା,ନେତୃତ୍ୱ ଏବଂ ବ୍ୟକ୍ତିତ୍ୱ ବିକାଶ ମାଧ୍ୟମରେ ଯୁବବର୍ଗଙ୍କୁ ଅନୁପ୍ରାଣୀତ କରିବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଅଗଷ୍ଟ ୧ ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାସ୍ଥିତ ଭୋଗାପୁରମ୍ଠାରେ ‘ଅଲ୍ଲୁରୀ ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର’ର ଯାତ୍ରୀ ଟର୍ମିନାଲ୍ ଭବନ ବୁଲି ଦେଖିବେ। ଏହାପରେ ସକାଳ ୧୧:୩୦ଟାରେ ସେ ଏହି ବିମାନବନ୍ଦରର ଉଦ୍ଘାଟନ କରିବା ସହ ଭୋଗାପୁରମ୍ଠାରେ ୧୭,୯୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଏବଂ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ପରବର୍ତ୍ତୀ ସମୟରେ, ଅପରାହ୍ନ ପ୍ରାୟ ୩:୩୦ଟାରେ ପ୍ରଧାନମନ୍ତ୍ରୀ ମୈସୁରୁସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମଠାରେ ‘ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ର – ବିବେକ ସ୍ମାରକ’ର ଉଦ୍ଘାଟନ କରି ସମାବେଶକୁ ସମ୍ବୋଧିତ କରିବେ ।
ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ
ଆନ୍ଧ୍ର ପ୍ରଦେଶର ଭୋଗାପୁରମଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଲ୍ଲୁରୀ ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଦଘାଟନ କରିବେ । ୫,୬୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ସରକାରୀ-ଘରୋଇ ସହଭାଗିତା ମୋଡରେ ବିକଶିତ, ଗ୍ରୀନଫିଲ୍ଡ ବିମାନବନ୍ଦରକୁ ବାର୍ଷିକ ୬ ନିୟୁତ ଯାତ୍ରୀଙ୍କ ପରିଚାଳନା କରିବା ଲକ୍ଷ୍ୟରେ ଡିଜାଇନ କରାଯାଇଛି।
ଯାତ୍ରୀ ଟର୍ମିନାଲ କୋଠାକୁ ଏକ ଆଧୁନିକ, ସୁଗମ ଏବଂ ବାଧାବିହୀନ ଯାତ୍ରାର ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି । ବିମାନବନ୍ଦରର କାର୍ଯ୍ୟକ୍ଷମତା ବୃଦ୍ଧି କରିବା ଏବଂ ଭବିଷ୍ୟତର ବିମାନ ଚଳାଚଳ ଆବଶ୍ୟକତା ପୂରଣ କରିବା ପାଇଁ ଉନ୍ନତ ଭିତ୍ତିଭୂମି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
ବିମାନବନ୍ଦରକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ବିଲ୍ଡିଂ ସୂଚନା ମଡେଲିଂ (ବିଆଇଏମ୍), ଏୟାରସାଇଡ ୪.୦ ପ୍ରଯୁକ୍ତିବିଦ୍ୟା,ବିମାନବନ୍ଦରର ପୂର୍ବାନୁମାନ କାର୍ଯ୍ୟକେନ୍ଦ୍ର (ଏପିଓସି), ବାୟୋମେଟ୍ରିକ ଯାତ୍ରୀ ପ୍ରୋସେସିଙ୍ଗ, ସ୍ୱୟଂଚାଳିତ ବ୍ୟାଗେଜ ପରିଚାଳନା ପ୍ରଣାଳୀ ଏବଂ ବୁଦ୍ଧିମାନ କାର୍ଯ୍ୟକ୍ଷମ ମନିଟରିଂ ସମାଧାନ ଭରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ କରାଯାଇଛି । ଏହି ପ୍ରଣାଳୀ ଗୁଡ଼ିକ କାର୍ଯ୍ୟକ୍ଷମତା ବୃଦ୍ଧି କରିବା, ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷାକୁ ଉନ୍ନତ କରିବା ଏବଂ ସଂସାଧନର ସର୍ବୋତ୍ତମ ଉପଯୋଗ କରିବାରେ ସହାୟକ ହେବ ।
ଏହି ପ୍ରକଳ୍ପରେ ଶକ୍ତି-ଦକ୍ଷ ତାପନ, ବାୟୁଚଳନ ଏବଂ ଏୟାର କଣ୍ଡିସନିଙ୍ଗ ସିଷ୍ଟମ (ଏଚଭିଏସି), ଶକ୍ତି-ଦକ୍ଷ ଆଲୋକୀକରଣ, ଏକ ୫ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ, ବର୍ଷାଜଳ ଅମଳ, ସ୍ମାର୍ଟବିଲ୍ଡିଂ ପରିଚାଳନା ପ୍ରଣାଳୀ, ବର୍ଜ୍ୟ ପରିଚାଳନା ପଦକ୍ଷେପ, ବୈଦ୍ୟୁତିକ ଯାନ ଚାର୍ଜିଙ୍ଗ ଭିତ୍ତିଭୂମି ଏବଂ ପରିବେଶଗତ ପର୍ଯ୍ୟବେକ୍ଷଣ ପଦକ୍ଷେପ ସମେତ ଅନେକ ସ୍ଥାୟିତ୍ୱ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ । ଟର୍ମିନାଲଟି ସବୁଜ ବିଲ୍ଡିଂ ମାନଦଣ୍ଡ ଅନୁଯାୟୀ ଡିଜାଇନ କରାଯାଇଛି ଏବଂ ଏହା ଆମେରିକା ସବୁଜ ବିଲ୍ଡିଂ ପରିଷଦ ସହିତ ପଞ୍ଜିକୃତ (ୟୁଏସଜିବିସି) ।
ବିମାନବନ୍ଦରର ସ୍ଥାପତ୍ୟ ଡିଜାଇନ ଆନ୍ଧ୍ର ପ୍ରଦେଶର ସାଂସ୍କୃତି ଐତିହ୍ୟରୁ ପ୍ରେରଣା ଆଣେ । ଟର୍ମିନାଲର ଛାତ ପ୍ରୋଫାଇଲ ପାରମ୍ପରିକ ‘ଚୁଟ୍ଟିଲୁ’ କୁଟୀର ଏବଂ ଆରାକୁ ଉପତ୍ୟକାର ଭୂଦୃଶ୍ୟକୁ ପ୍ରତିଫଳିତ କରେ । ଯେତେବେଳେ କି ଏହାର ପ୍ରବାହିତ ରୂପ ଏକ ଉଡ଼ନ୍ତା ମାଛର ସୁନ୍ଦର ଗତିକୁ ପ୍ରତୀକ କରେ, ଯାହା ସମସାମୟିକ ବିମାନବନ୍ଦର ଡିଜାଇନ ସହିତ ଆଞ୍ଚଳିକ ସ୍ଥାପତ୍ୟ ଉପାଦାନଗୁଡ଼ିକୁ ମିଶ୍ରଣ କରେ । ଏହି ବିମାନବନ୍ଦର ଆନ୍ଧ୍ର ପ୍ରଦେଶରେ ବିମାନ ସଂଯୋଗକୁ ସୁଦୃଢ଼ କରିବା ସହିତ ପର୍ଯ୍ୟଟକ,ବାଣିଜ୍ୟ, ନିବେଶ ଏବଂ ନିଯୁକ୍ତି ସୃଷ୍ଟିକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀ ବିଶାଖାପାଟଣାରେ ୬୦ କୋଟି ଟଙ୍କାରୁ ଅଧିକ ନିବେଶରେ ଅଧିକ ବିକଶିତ ଏଏସଆଇପି ସେମି କଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ସୁବିଧା ଏଏସଆଇପି ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ, କୋରିଆ ଗଣରାଜ୍ୟର ଏପିଏସିଟି ସହଭାଗିତାରେ ବିକଶିତ କରାଯାଉଛି । ଏହା ଆନ୍ଧ୍ର ପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ଯାହାକୁ ଭାରତ ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ଯାହାକୁ ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଅନୁମୋଦିତ କରାଯାଇଛି । ଏହି ସୁବିଧା ବାର୍ଷିକ ପ୍ରାୟ ୯୬ ନିୟୁତ ସେମିକଣ୍ଡକ୍ଟର ଚିପ୍ସ ଉତ୍ପାଦନ କରିବ ଏବଂ ଉଚ୍ଚ-କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ସେମିକଣ୍ଡକ୍ଟର ଉତ୍ପାଦନକୁ ସମର୍ଥନ କରିବା ପାଇଁ ଏକ ଦୃଢ଼ ଆନୁଷଙ୍ଗିକ ଇକୋ ସିଷ୍ଟମକୁ ପ୍ରୋତ୍ସାହିତ କରିବ ।
ପ୍ରଧାନମନ୍ତ୍ରୀ ପ୍ରାୟ ୫,୫୫୦ କୋଟି ଟଙ୍କାର ନିବେଶ ସହିତ ପାୱାରଗ୍ରୀଡ ଦ୍ୱାରା ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି) ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା କୁର୍ଣ୍ଣୁଲ-ଆଇଭି ନବୀକରଣୀୟ ଶକ୍ତି କ୍ଷେତ୍ର (ଆରଇଜେଡ୍) – ପର୍ଯ୍ୟାୟ-୧ (୪.୫ ଜିଡବ୍ଲୁ) ସମନ୍ୱୟ ପାଇଁ ଟ୍ରାନ୍ସମିସନ ସିଷ୍ଟମ ପାଇଁ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ ପ୍ରାୟ ୩,୫୫୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହୋଇଥିବା କୁର୍ଣ୍ଣୁଲ ପବନ ଶକ୍ତି କ୍ଷେତ୍ର / ସୌର ଶକ୍ତି କ୍ଷେତ୍ର (ଆନ୍ଧ୍ର ପ୍ରଦେଶ) ପାଇଁ ପରିବହନ ପ୍ରଣାଳୀ ଭାଗ-୧ ଏବଂ ଭାଗ-୨ ଏବଂ ୮୨୦ କୋଟି ଟଙ୍କା ବ୍ୟୟରେ ପାୱାରଗ୍ରୀଡ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଅନନ୍ତପୁରମ୍ (୨,୫୦୦ ମେଗାୱାଟ) ଏବଂ କୁର୍ଣ୍ଣୁଲ (୧,୦୦୦ ମେଗାୱାଟ)ରେ ସୌରଶକ୍ତି କ୍ଷେତ୍ର ପାଇଁ ପରିବହନ ଯୋଜନାର ମଧ୍ୟ ଉଦଘାଟନ କରିବେ ।
ଏହି ପରିବହନ ପ୍ରକଳ୍ପ ଗୁଡ଼ିକ କୁର୍ଣ୍ଣୁଲ ଏବଂ ଅନନ୍ତପୁରମର ନବୀକରଣୀୟ ଶକ୍ତି କ୍ଷେତ୍ରରୁ ଉତ୍ପାଦିତ ବିଦ୍ୟୁତ୍ ସ୍ଥାନାନ୍ତର ଏବଂ ଜାତୀୟ ଗ୍ରୀଡ଼ ମାଧ୍ୟମରେ ଦେଶବ୍ୟାପୀ ହିତାଧିକାରୀଙ୍କୁ ବିଦ୍ୟୁତ୍ ପରିବହନ କରିବାରେ ସକ୍ଷମ ହେବ । ଏହା ଗ୍ରୀଡ଼ରେ ବହୁ ପରିମାଣର ନବୀକରଣୀୟ ଶକ୍ତିର ସମନ୍ୱୟକୁ ସହଜ କରିବ, ଚାହିଦା କେନ୍ଦ୍ରଗୁଡ଼ିକ ପାଇଁ ସ୍ୱଚ୍ଛ ଶକ୍ତିର ଉପଲବ୍ଧତାକୁ ଉନ୍ନତ କରିବ ଏବଂ ଜୀବାଶ୍ମ ଇନ୍ଧନ-ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଉପରେ ନିର୍ଭରଶୀଳତା ହ୍ରାସ କରି ଭାରତର ଶକ୍ତି ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ପ୍ରୟାସରେ ଯୋଗଦାନ ଦେବ ।
ପ୍ରଧାନମନ୍ତ୍ରୀ ୧,୮୮୦ କୋଟିରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ । ସମର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଏନଏଚ- ୩୬୫ବିଜିର ରେଚେର୍ଲାରୁ ଗୁରୁଭୟଗୁଡେମ୍ ସେକ୍ସନ ପର୍ଯ୍ୟନ୍ତ ଚାରି ଲେନ ପ୍ରବେଶ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ହାଇୱେ, ଏନଏଚ-୩୬୫ବିଜି ଗୁରୁଭୟଗୁଡେମରୁ ଦେବରାପାଲ୍ଲେ ସେକ୍ସନ ପର୍ଯ୍ୟନ୍ତ ଚାରିଲେନ୍ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍ଡ ହାଇୱେ ଏବଂ ଏନଏଚ-୬୭ରେ ଚାରିଲେନ୍ ତାଡ଼ିପତ୍ରି ବାଇପାସ୍ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଏନଏଚ-୫୬୫ର ପେଞ୍ଚଲାକୋନା-ୟେରପେଡ଼ୁ ସେକ୍ସନର ଲିଙ୍ଗସମୁଦ୍ରମର ଉଚ୍ଚସ୍ତରୀୟ ସେତୁର ମଧ୍ୟ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡ଼ିକ ବିଜୟୱାଡା ଏବଂ ଅନ୍ୟାନ୍ୟ ସହରରେ ଭିଡ଼ କମ୍ କରିବ, ସଡ଼କ ସୁରକ୍ଷାରେ ଉନ୍ନତି ଆଣିବ,ବିଶାଖାପାଟଣା ଏବଂ ହାଇଦ୍ରାବାଦ ମଧ୍ୟରେ ଯାତ୍ରା ଦୂରତ୍ୱ ଏବଂ ଯାତ୍ରା ସମୟ ହ୍ରାସ କରିବ ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ପ୍ରୋତ୍ସାହିତ କରିବ ।
କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ର- ବିବେକ ସ୍ମାରକକୁ ଉଦଘାଟନ କରିବେ ।
ବିବେକ ସ୍ମାରକ ୧୮୯୨ ମସିହା ନଭେମ୍ବର ମାସରେ ସ୍ୱାମୀ ବିବେକାନନ୍ଦଙ୍କ ଭାରତ ଭ୍ରମଣ ସମୟରେ ତାଙ୍କର ଐତିହାସିକ ମୈସୁରୁ ଗସ୍ତକୁ ସ୍ମରଣ କରେ । ତାଙ୍କ ରହଣି ସମୟରେ ସେ ପ୍ରବଚନ ଦେଇଥିଲେ, ବିଦ୍ୱାନ ଓ ଭକ୍ତଙ୍କ ସହ ଆଲୋଚନା କରିଥିଲେ । ମହାରାଜା ଶ୍ରୀ ଚାମରାଜେନ୍ଦ୍ର ୱାଡିଆର ଦଶମଙ୍କ ପୃଷ୍ଠପୋଷକତା ପାଇଥିଲେ, ଯାହାଙ୍କ ସମର୍ଥନରେ ୧୮୯୩ ମସିହାରେ ଚିକାଗୋର ଧର୍ମସଂସଦକୁ ଯାତ୍ରା କରିପାରିଥିଲେ ।
ଐତିହାସିକ ନିରଞ୍ଜନା ମଠରେ ପ୍ରତିଷ୍ଠିତ, ବିବେକ ସ୍ମାରକ ୮୧ ହଜାର ବର୍ଗଫୁଟରୁ ଅଧିକ ଏକ ନିର୍ମିତ ଅଞ୍ଚଳରେ ବିସ୍ତାରିତ । ଏଥିରେ ଏକ ମୁଖ୍ୟ ଅଟ୍ଟାଳିକା ଏବଂ ଏକ ଆନେକ୍ସ ବ୍ଲକ ରହିଛି । ଏଥିରେ ଏକ ୪-ଡି ଅଭିଜ୍ଞତା କେନ୍ଦ୍ର,ଏକ ପ୍ରଦର୍ଶନୀ ହଲ୍, ପ୍ରାୟ ୭ଶହ ଲୋକ ବସିବା କ୍ଷମତା ବିଶିଷ୍ଟ ଏକ ଆମ୍ଫିଥିଏଟର, ଶ୍ରେଣୀଗୃହ, ସମ୍ମିଳନୀ କକ୍ଷ, ଏକ ଲାଇବ୍ରେରୀ, ଏକ ରିଡିଙ୍ଗ ରୁମ୍,ଏକ ଧ୍ୟାନ ଓ ଯୋଗ ହଲ୍ ଏବଂ ଏକ ପୁସ୍ତକ ଷ୍ଟଲ ରହିଛି । ଏହି କେନ୍ଦ୍ରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମର୍ପିତ ସୁବିଧା ମଧ୍ୟ ରହିଛି।
ସ୍ୱାମୀ ବିବେକାନନ୍ଦଙ୍କ ଜୀବନ, ବାର୍ତ୍ତା ଏବଂ ଆଦର୍ଶ ପ୍ରତି ଉତ୍ସର୍ଗୀକୃତ, ସାଂସ୍କୃତିକ ଯୁବକେନ୍ଦ୍ର ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ନେତୃତ୍ୱ ବିକାଶ ଏବଂ ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଏକ ସକ୍ରିୟ କେନ୍ଦ୍ର ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ଏହା ସ୍ୱାମୀ ବିବେକାନନ୍ଦଙ୍କ ରାଷ୍ଟ୍ର ନିର୍ମାଣ ଏବଂ ଚରିତ୍ର ବିକାଶ ଦର୍ଶନ ଦ୍ୱାରା ଅନୁପ୍ରାଣୀତ ବକ୍ରୃତା, କର୍ମଶାଳା, କ୍ଷୁଦ୍ରକାଳୀନ ପାଠ୍ୟକ୍ରମ ଏବଂ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ମାଧ୍ୟମରେ ନିକଟସ୍ଥ ଶିକ୍ଷାନୁଷ୍ଠାନର ୧୦,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବକମାନଙ୍କୁ ଉପକୃତ କରିବ ବୋଲି ଆଶା ରଖାଯାଇଛି ।