jayashree

ବଲାଙ୍ଗିରର ବନ୍ୟା ସ୍ଥିତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାଷୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବର୍ତ୍ତମାନର ବନ୍ୟା ସ୍ଥିତି ଏବଂ ବିଭିନ୍ନ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବିଭାଗକୁ ନିଜ ନିଜର ଅଦ୍ୟତନ ରିପୋର୍ଟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ସାମ୍ପ୍ରତିକ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କ୍ଷେତ୍ରସ୍ତରୀୟ ଗସ୍ତ କରି, କ୍ଷୟକ୍ଷତିର ତୁରନ୍ତ ଓ ସଠିକ୍ ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ, ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା, ଡେପୁଟି କଲେକ୍ଟର ନିବେଦିତା ସ୍ୱାଇଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନା ଭୋଇ, ସସ୍ମିତା ପ୍ରଧାନଙ୍କ ସହିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ, ଟିପିଡବ୍‌ଲୁଓଡ଼ିଏଲ୍‌, ଜାତୀୟ ରାଜପଥ, କ୍ଷୁଦ୍ର ଜଳସେଚନ ଓ ଜଳସେଚନ ବିଭାଗର ନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ସମସ୍ତେ ନିଜ-ନିଜ ବିଭାଗର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଅତ୍ୟାବଶ୍ୟକ ଭିତ୍ତିରେ ନିଜ ନିଜ କ୍ଷେତ୍ରାଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପୂର୍ବକ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.