jayashree

ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ : ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ମାଗୁରବେଡାଠାରେ ଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଡ୍ୟାମ୍ ପରିସରରେ ନିରାପତ୍ତା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ବଲାଙ୍ଗିର ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଆଲୋକ କୁମାର ପଟେଲ, ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩’ ର ଧାରା ୧୬୩ (୧) ଅଧୀନରେ ପ୍ରକଳ୍ପ ଅଞ୍ଚଳରେ ନିଷେଧାଦେଶ ଜାରି କରିଛନ୍ତି । ଗତ କିଛିଦିନ ହେବ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ, ପର୍ଯ୍ୟଟକ ଏବଂ ଅନଧିକୃତ ବ୍ୟକ୍ତି ଡ୍ୟାମ୍‌ର କାର୍ଯ୍ୟକ୍ଷେତ୍ର, ଜଳାଶୟ ଓ ସ୍ପିଲୱେ ଅଞ୍ଚଳକୁ ବିପଜ୍ଜନକ ଭାବେ ଯାତାୟାତ କରୁଥିବା ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟିକୁ ଆସିଥିଲା । ବର୍ତ୍ତମାନ ବର୍ଷା ଦିନିଆ ଜଳସ୍ତର ବୃଦ୍ଧି, ସ୍ପିଲୱେ ଗେଟ୍‌ରୁ ତୀବ୍ର ବେଗରେ ଜଳ ନିଷ୍କାସନ ଏବଂ ଭାରୀ ଯନ୍ତ୍ରପାତିର କାର୍ଯ୍ୟ ଚାଲୁ ରହିଥିବାରୁ ଜନଜୀବନ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇଛି । ବୁଡ଼ିଯିବା ଓ ଅନ୍ୟାନ୍ୟ ଅପ୍ରୀତିକର ଦୁର୍ଘଟଣାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ତୁରନ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି । ଡ୍ୟାମ୍‌ର ମୁଖ୍ୟ କାନ୍ଥ, ବନ୍ଧ, ସ୍ପିଲୱେ, ଜଳାଶୟ କୂଳ ଏବଂ ନିୟନ୍ତ୍ରଣ କକ୍ଷ ଅଞ୍ଚଳକୁ ସାଧାରଣ ଲୋକ, ପର୍ଯ୍ୟଟକ ଓ ବେସରକାରୀ ଯାନବାହାନର ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡ୍ୟାମ୍ ଓ ଜଳାଶୟ ନିକଟରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ମାଛ ଧରିବା, ସେଲଫି ନେବା, ଭିଡିଓ ସୁଟିଂ କରିବା ଏବଂ ରୁଣ୍ଡ ହେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି । କେବଳ ଡ୍ୟାମ୍‌ର ନିର୍ମାଣ, ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ, ଇଞ୍ଜିନିୟର, ସୁରକ୍ଷା କର୍ମୀ ଓ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ଆଦେଶ ଲାଗୁ ହେବ ନାହିଁ । ଏହି ଆଦେଶ ୩୧ ଜୁଲାଇ ୨୦୨୬ରୁ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ । ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ‘ଭାରତୀୟ ନ୍ୟାୟ ସଂହିତା , ୨୦୨୩’ର ଧାରା ୨୨୩ ଏବଂ ପ୍ରସଙ୍ଗିକ ସୁରକ୍ଷା ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ୟାମ୍ ପରିସରରେ ସାବଧାନତା ସୂଚକ ସାଇନ୍‌ବୋର୍ଡ ଏବଂ ବାରିକେଡ୍ ଲଗାଇବାକୁ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, କାର୍ଯ୍ୟାଦେଶ ଅନୁପାଳନ କରିବା ଓ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ପୋଲିସ, ତହସିଲଦାର ଓ ବିଡିଓଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.