
ବଲାଙ୍ଗିର, (କେପିଏନ୍ଏସ୍) : ଲୋୟର୍ ସୁକତେଲ୍ ପ୍ରକଳ୍ପ ବିସ୍ଥାପିତ ଗ୍ରାମ କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଲୋୟର୍ ସୁକତେଲ୍ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆପାଲିକୁ ନେଇ ପୁଣି ତେଜିଛି ଚର୍ଚ୍ଚା । କିଛିଦିନ ପୂର୍ବେ ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର ଉଚିତ କ୍ଷତିପୂରଣ ଓ ଥଇଥାନ ଦାବିରେ ଧନୁତୀର ଧରି ଆନ୍ଦୋଳନରେ ବସିଥିଲେ । ପ୍ରଶାସନ ସହ ଆଲୋଚନା ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ବେଳେ ଜଳଭଣ୍ଡାରର ପାଣି ଗାଁକୁ ପଶିବା ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୁମିଆପାଲି ପହଞ୍ଚି ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରିଛି । ଦଳ ପକ୍ଷରୁ ବିସ୍ଥାପିତଙ୍କ ଦାବିକୁ ଯୁକ୍ତିସଙ୍ଗତ ଓ ନ୍ୟାୟସଂଗତ ବୋଲି କହି ରାଜ୍ୟ ସରକାରଙ୍କୁ ତୁରନ୍ତ ଉଚିତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ।