
ଅତାବିରା, (ମୋହନ ସାହୁ) : ସରକାରୀ ଡାକ୍ତରଖାନାରେ ଚାକିରି କରାଇଦେବାର ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଜଣେ ବି.ଏସ୍.ସି. ନର୍ସିଂ ସ୍ନାତକଙ୍କୁ ପୁଲିସ ଗିରଫ କରିଛି । ଭୋଇପୁରାର ଲକ୍ଷ୍ମୀ ପାଞ୍ଚମଙ୍କ ଅଭିଯୋଗ ଅନୁଯାୟୀ, ଭଟିଗାଁର ପ୍ରକାଶ ବଞ୍ଛୋର ସରକାରୀ ହସ୍ପିଟାଲରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି କରାଇଦେବାକୁ କହି ତାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ । ତଦନ୍ତରେ ଜଣାପଡ଼ିଛି, ସିଏଚ୍ସି ଅତାବିରାରେ ତାଲିମ ସମୟରେ ପରିଚୟର ସୁଯୋଗ ନେଇ ସେ ଏହି ଠକେଇ କରିଥିଲେ । ଏଥିସହ ଅନ୍ୟ ଅନେକ ବ୍ୟକ୍ତିଙ୍କଠାରୁ ପ୍ରାୟ ୧୨ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ସନ୍ଦେହ ରହିଛି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ମୋବାଇଲ୍ ଓ ବ୍ୟାଙ୍କ ସମ୍ପର୍କିତ ପ୍ରମାଣ ଜବତ କରିଛି । ଘଟଣାର ତଦନ୍ତ ଜାରି ରହିଛି ।