
- ବିସ୍ଥାପିତଙ୍କ ଦାବି ନ୍ୟାୟସଙ୍ଗତ, ସରକାର ତୁରନ୍ତ ପଦକ୍ଷେପ ନେଉ – ବିଜେଡି
ବଲାଙ୍ଗିର, (କେପିଏନ୍ଏସ୍) : ଗତ କିଛିଦିନ ଧରି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆଁପାଲି ଚର୍ଚ୍ଚାରେ ରହିଛି । ଏହି ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର ତାଙ୍କୁ ଉଚିତ କ୍ଷତିପୂରଣ ଓ ଥଇଥାନ ଦାବିରେ ଆନ୍ଦୋଳନରେ ବସିଥିଲେ । ପ୍ରଶାସନର ଅନେକ ବୁଝାସୁଝା ପରେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ । ଏପଟେ ଡେମରେ ଜଳସ୍ତରବଢି କୁମିଆଁପାଲି ଗାଁକୁ ପାଣି ପଶିଲାଣି । ବୁଡିମରିବେ ପଛେ ସେମାନଙ୍କର ଦାବିପୂରଣ ନହେବା ପର୍ଯ୍ୟନ୍ତ ଗାଁ ଛାଡିବେ ନାହିଁ ବୋଲି ବିସ୍ଥାପିତମାନେ ଜିଦ ଧରିଛନ୍ତି । ସେମାନଙ୍କୁ ୨୦୧୩ ଆଇନରେ କ୍ଷତିପୂରଣ ଓ ଥଇଥାନ କରିବା, ନୂଆକରି ସେମାନଙ୍କ ଘର, ଜମି, ଗଛ, ପୋଖରୀ ଇତ୍ୟାଦି ସର୍ଭେ କରିବା, ୨୦୨୬ ଜାନୁୟାରୀ ୧କୁ କଟ୍ଅଫ୍ ଡେଟ କରାଯାଇ ୧୮ବର୍ଷରୁ ଉର୍ଦ୍ଧ୍ୱ ଯୁବକ/ଯୁବତୀଙ୍କୁ ମୁଣ୍ଡପିଛା କ୍ଷତିପୂରଣରେ ସାମିଲ କରିବା ଇତ୍ୟାଦି ୧୦ ଦଫା ଦାବି ନେଇ ସେମାନେ ଅଡିବସିଛନ୍ତି । ଏପଟେ ଡେମ୍ରେ ପାଣି ବଢୁଥିବାରୁ ସେମାନଙ୍କର ଜୀବନପ୍ରତି ବିପଦ ମଧ୍ୟ ରହିଛି । ଜିଲ୍ଲା ପ୍ରଶାସନ ବିସ୍ଥାପିତମାନଙ୍କୁ ପ୍ରତିଶୃତି ଦେଇଛି କିନ୍ତୁ ଠିକ ଏହି ସମୟରେ ଜିଲ୍ଲାପାଳ ଛୁଟି ନେଇ ଚାଲିଯାଇଥିବାରୁ ସମସ୍ୟା ସମାଧାନ ହୋଇପାରିନି । ସେହି କାରଣରୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶରେ ଆଜି ବିଜୁ ଜନତା ଦଳର ଏକ ଫେକ୍ଟ ଫାଇଣ୍ଡିଙ୍ଗ ଟିମ କୁମିଆଁପାଲି ଗାଁକୁ ଯାଇ ବିସ୍ଥାପିତ ପରିବାରଙ୍କ ସହିତ ଆଲୋଚନା କରିଛନ୍ତି । ବିସ୍ଥାପିତ ଆଦିବାସୀଙ୍କର ଦାବି ସବୁ ଯୁକ୍ତି ଓ ନ୍ୟାୟସଙ୍ଗତ ରହିଛି । ତେଣୁ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ନେଇ ସେମାନଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରିବାକୁ ବିଜେଡି ଦଳ ଏକ ପ୍ରେସବିବୃତିରେ ଜଣାଇଛନ୍ତି । ଜିଲ୍ଲା ପରିଷଦର ସଭାପତି ଦେବକୀ ସାହୁଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ଲୋଇସିଂହା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥି ନୀହାର ରଂଜନ ବେହେରା, ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ତଥା ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ ପଟେଲ, ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲାସଧାରଣ ସଂପାଦକ ଗୋଲାପ ବାଗ, ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ, ସ୍ଥାନୀୟ ନେତା କୈଳାଶ ବରିହା, ଅଂଶୁମାନ ଗୁରୁ, ଟିବୁଲୁ କଦମ, ଭକ୍ତ ବରିହା, ଶେଷଦେବ ମହାକୁର ପ୍ରମୁଖ କୁମିଆଁପାଲି ଯାଇ ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ । ବିସ୍ଥାପିତଙ୍କ ଏହିସବୁ ଦାବିକୁ ନେଇ ବିଧାୟକ କଳିକେଶ ସିଂଦେଓଙ୍କ ଜରିଆରେ ସରକାରଙ୍କ ପାଖରେ ବିଜେଡି ଦଳ ଦୃଢ ଦାବି ରଖିବ ବୋଲି ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ କହିଛନ୍ତି ।