
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡା ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ପାତଲପଡା ଗାଁର ମାଧବ ବାଗଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଘର ସଜାଡ଼ିବା ପାଇଁ ମଧ୍ୟ ସକ୍ଷମ ନାହାନ୍ତି । ବିଭିନ୍ନ ସମୟରେ ପକ୍କା ଘର ପାଇବା ପାଇଁ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ଘରେ ତାଙ୍କ ସ୍ତ୍ରୀ ମଲି ବାଗ, ଅର୍ଜୁନ ବାଗ, ଯଯାତି ବାଗଙ୍କୁ ନେଇ ଏହି ଗରିବ ପରିବାର । ଘର ଭାଙ୍ଗିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଏନେଇ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେରଙ୍କୁ ଯୋଗାଯୋଗ କରିବାରୁ, ତଦନ୍ତ କରି ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ତାଳଭଟା ଗାଁର ଲାଲସାହେବ ବେହେରାଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଆକଳନ କରି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।