
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତକାଲି ରାତିରୁ ଉଦେପୁର ବିନେକେଲା ଦେଇ ଯାଇଥିବା ଉନ୍ଦେର ନଦୀ ଉପରେ ନିର୍ମାଣଧିନ ବ୍ରିଜ କ୍ୟାମ୍ପରେ ୬ ଜଣ ଶ୍ରମିକ ଫସି ରହିଥିବା ଖବର ପାଇ ସ୍ଥାନୀୟ ତହସିଲଦାର, ଟିଟିଲାଗଡ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ସାହାର୍ଯ୍ୟରେ ବିନେକେଲା ଠାରେ ଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ପୁଣି ଅନ୍ତର୍ଲା ଗ୍ରାମର ଗୋଟିଏ ଚାଷୀ ପରିବାରର ତିନିଜଣ ଓ ଛତାଭଟା ଗ୍ରାମର ଦୁଇ ଜଣ ଚାଷୀ ଫସି ରହିଥିବା ଖବର ପାଇ ଅଗ୍ନିସମ କର୍ମଚାରୀ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ମଧ୍ୟ ଛତାଭଟାର ଚାଷୀ ଚତୁର ଜାଲଙ୍କ ତିନୋଟି ଛେଳି ମୃତ୍ୟୁ ବରଣ କରିସାରିଥିଲେ । ଉନ୍ଦେର ନଦୀରେ ବନ୍ୟା ଆସି ଖୋଲନ ବ୍ରିଜ ପାଖର ହୁଡା ଦୁଇ ପାର୍ଶ୍ଵରେ ଘାଇ ହୋଇ ନଦୀ ଗତିପଥ ବଦଳାଇଥିଲା । ତେଲ ନଦୀରେ ମଧ୍ୟ ବନ୍ୟା ଆସି ଟିଟିଲାଗଡ ଅଞ୍ଚଳର ହଜାର ହଜାର ହେକ୍ଟୋର ଚାଷ ଜମିକୁ ପାଣି ମାଡ଼ି, ଚାଷ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଯାଇଛି । ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଓ ତହସିଲଦାର ଶଙ୍କର ବାଗ ନିଜେ ଗତକାଲି ରାତି ଠାରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟ ଓ କ୍ଷୟକ୍ଷତିର ଆକଳନ କରିଛନ୍ତି । ସାହସିକତା ସହିତ ଅଗ୍ନିସମ ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ଗତକାଲି ଓ ଆଜି ଦ୍ୱିପହର ୨ ଟା ସମୟ ପର୍ଯ୍ୟନ୍ତ ଅବିରତ ପରିଶ୍ରମ କରି ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ସରପଞ୍ଚ ସଙ୍ଘ ତରଫରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସରପଞ୍ଚ ସଙ୍ଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ ।