jayashree

ଜଳବନ୍ଦୀରେ ଗଡ଼ର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ

  • ଦେବୋତ୍ତର ବିଭାଗ ସହ ଆଲୋଚନା କଲେ ଦେବାଳୟ ସୁରକ୍ଷା କମିଟି
  • ନୂତନ ଭାବେ ନିର୍ମାଣ ହେବ ମା’ଙ୍କ ପରଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ପବିତ୍ର ମନ୍ଦିର ଏବେ ଜଳବନ୍ଦୀ ପରିସ୍ଥିତିରେ ପହଞ୍ଚିଛି । ମନ୍ଦିରର ମୁଖ୍ୟ ଗମ୍ଭୀରା ଘରର ଗମ୍ଭୁଜରେ ଦୀର୍ଘ ପାଞ୍ଚ ବର୍ଷ ଧରି ଫାଟ ସୃଷ୍ଟି ହୋଇଥିବାରୁ ବର୍ଷା ପାଣି ସିଧାସଳଖ ଭିତରକୁ ପ୍ରବେଶ କରୁଛି । ଫଳରେ ମା’ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ବର୍ଷା ପାଣି ପହଞ୍ଚି ଭକ୍ତମାନଙ୍କ ମନରେ ଗଭୀର ଚିନ୍ତା ସୃଷ୍ଟି କରିଛି । ସୂଚନାଯୋଗ୍ୟ, ୨୦୨୩ ମସିହାରେ ୧ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ ଗମ୍ଭୀରା ଘରର ମରାମତି କରାଯାଇନଥିଲା । ଏହାର ପରିଣାମ ସ୍ୱରୂପ ଗମ୍ଭୁଜର ଫାଟ ଦେଇ ଲଗାତାର ବର୍ଷା ପାଣି ମନ୍ଦିର ଭିତରକୁ ପଶୁଛି । କେବଳ ସେତିକି ନୁହେଁ, ପାଣି ନିଷ୍କାସନର ସୁବିଧା ନଥିବାରୁ କିଛି ଦିନ ପୂର୍ବରୁ ମା’ଙ୍କ ପରଭା ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଏହାକୁ ନେଇ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ପକ୍ଷରୁ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ସହ ଜରୁରୀ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଦେବୋତ୍ତର ମ୍ୟାନେଜର ସୁଧିର କୁମାର ଦାଶ, କାହ୍ନା ଶତପଥି, ଦେବାଳୟ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସମ୍ପାଦକ ପ୍ରଶାନ୍ତ ମହାକୁର ଓ ପୂଜକ ମହେନ୍ଦ୍ର ଦିସ୍ରୀ ଉପସ୍ଥିତ ରହି ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଆଲୋଚନା କରିଥିଲେ । ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତା ଦଶହରା ପୂର୍ବରୁ ମା’ଙ୍କ ନୂତନ ପରଭା ନିର୍ମାଣ କରାଯିବ । ଏହା ସହ ମନ୍ଦିରର ଆବଶ୍ୟକୀୟ ମରାମତି, ଗମ୍ଭୀରା ଘରର ତଦାରଖ ଏବଂ ସଂରକ୍ଷଣ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି । ଏବେ ପ୍ରଶ୍ନ ଉଠୁଛି— ଓଡ଼ିଶାର ଐତିହ୍ୟ ଓ ଆସ୍ଥାର ପ୍ରତୀକ ମା’ ପାଟଣେଶ୍ୱରୀଙ୍କ ମନ୍ଦିରର ସ୍ଥାୟୀ ସୁରକ୍ଷା ପାଇଁ ପ୍ରଶାସନ କେବେ ଠୋସ ପଦକ୍ଷେପ ନେବ ?

Leave A Reply

Your email address will not be published.