
ଓଡିଶା ଷ୍ଟେଟ ବ୍ରିଗେଡିଅର୍ ସ୍କୁଲ ରୁଷୁଡ଼ା ଓ ଗାୟତ୍ରୀ ପରିବାର, ତୁଷୁରାର ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ଓଏସ୍ପିଏସ୍ ରୁଷୁଡ଼ା ଏବଂ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ସଦସ୍ୟ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସ୍କାଉଟ୍ସ ଓ ଗାଇଡ୍ସ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ପରିବେଶ ସୁରକ୍ଷା ଓ ସବୁଜିମା ବର୍ଦ୍ଧନ ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫଳନ୍ତି ଓ ଛାୟାପ୍ରଦ ଚାରାରୋପଣ କରାଯାଇଥିଲା । ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀ ଓ ସ୍କାଉଟ୍ସ ସଦସ୍ୟମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ନିଜ ହାତରେ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଂକଳ୍ପ ନେଇଥିଲେ । ଗାୟତ୍ରୀ ପରିବାରର ପ୍ରତିନିଧିମାନେ ବୃକ୍ଷକୁ “ବୃକ୍ଷ ଗଙ୍ଗା ଅଭିଯାନ”ର ଏକ ଅଂଶ ଭାବେ ଅଭିହିତ କରି ବୃକ୍ଷରୋପଣର ମାହାତ୍ମ୍ୟ ବୁଝାଇଥିଲେ । ସନ୍ତୋଷ ସାହୁ ଓ ସୁଧାକର ପ୍ରଧାନ ବୃକ୍ଷ ପୂଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗାୟତ୍ରୀ ପରିବାରର ମୁଖ୍ୟ ଟ୍ରଷ୍ଟି ଜଗଦୀଶ ପ୍ରସାଦ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୋହନ ସାମଲ, ସାଉଁରିଆ ଜୈନ, ରାଧା ରମଣ କେଡିଆ, ପ୍ରମୋଦ ସା ଓ ବିଶ୍ଵଲାଲ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଟୁକୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସୁନ୍ଦର ପ୍ରୟାସ ପାଇଁ ଅଞ୍ଚଳବାସୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଗାୟତ୍ରୀ ପରିବାର ଏବଂ ଓଏସ୍ପିଏସ୍ ରୁଷୁଡ଼ାର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି ।