jayashree

ଜଳ ସମାଧି ଅପେକ୍ଷାରେ କୁମିଆପାଲି ଗ୍ରାମର ୮୪ ଆଦିବାସୀ ପରିବାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ଲୋଇସିଂହା ବ୍ଲକର କୁମିଆପାଲି ଗ୍ରାମ ବର୍ତ୍ତମାନ ପାଣି ଘେରରେ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକଳ୍ପର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏପଟେ କୁମିଆପାଲି ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ଏଭଳି ସ୍ଥିତିରେ ଉଚିତ୍ ଥଇଥାନ ଓ କ୍ଷତିପୂରଣ ଦାବିରେ ଗାଁରେ ରହିଯାଇଥିବା ୮୪ ଆଦିବାସୀ ପରିବାର ବର୍ତ୍ତମାନ ପାଣି ଘେରରେ ରହିଛନ୍ତି । କିଛିଦିନ ତଳେ ଗ୍ରାମର ୭ ଜଣ ଆଦିବାସୀ ନେତାଙ୍କୁ ପୋଲିସ ରାତି ଅଧିଆ ଉଠାଇ ନେଇ ବଲାଙ୍ଗିର ସଦର ଥାନାରେ ଅଟକ ରଖିଥିଲା । ଅଟକଥିବା ଆଦିବାସୀ ନେତା ଓ ପ୍ରଶାସନ ମଧ୍ୟରେ ରୁଦ୍ଧଦ୍ଵାର ଆଲୋଚନା ପରେ କୁମିଆପାଲି ଗ୍ରାମରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣା ପ୍ରତ୍ୟାହାର ହେଲା ବୋଲି ଆଦିବାସୀ ନେତା ଘୋଷଣା କରିଥିଲେ । ଇତିମଧ୍ୟରେ ଗ୍ରାମରେ ସର୍ଭେ ଆରମ୍ଭ ହୋଇଥିଲେ ହେଁ ଆଦିବାସୀ ପରିବାର ଗୁଡ଼ିକୁ ସ୍ଥାନାନ୍ତର କରିବା ଦିଗରେ ପ୍ରଶାସନ ଠୋସ ପଦକ୍ଷେପ ନେଇ ନଥିବା ଅଭିଯୋଗ ହେଉଛି । ଅନେକ ଘର ଭିତରେ ପ୍ରକଳ୍ପର ଠେଲା ପାଣି ପ୍ରବେଶ କରିଥିବା ଜଣାଯାଇଛି । ନିଜ ପ୍ରତିଶୃତିରୁ ଓହରି ଯାଇ ପ୍ରଶାସନ ଉଚିତ୍ କ୍ଷତିପୂରଣ ଓ ଥଇଥାନ ଦେବା ପୂର୍ବରୁ ଆଦିବାସୀ ପରିବାର ଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରୁଥିବା ଗ୍ରାମର ପ୍ରେମରାଜ ବରିହା ଅଭିଯୋଗ କରିଛନ୍ତି । ଏଥିସହିତ ଆଲୋଚନା ମୁତାବକ ପ୍ରଶାସନ ନିଜର ପ୍ରତିଶୃତି ପୂରଣ ନ କଲେ ଗ୍ରାମର ସମସ୍ତ ଆଦିବାସୀ ପରିବାର ଏହି ପ୍ରକଳ୍ପରେ ଜଳ ସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ସହାୟତା ରାଶି ଗ୍ରହଣ କରିଥିବା ପରିବାର ଗୁଡ଼ିକ ଗାଁ ଛାଡ଼ି ସାରିଥିବା ବେଳେ ରହିଯାଇଥିବା ୮୪ ଆଦିବାସୀ ପରିବାର ଏବେ ଲୋୟର ଶୁକତେଲ ପ୍ରକଳ୍ପର ଆସନ୍ନ ବିପଦକୁ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.