
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଲଗାଣ ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ଠିକାଦାରପଡ଼ା, ଇଚ୍ଛାପଡ଼ା, ଇନ୍ଦିରାନଗର, କଂସାରିପଡ଼ା, ତାଲପାଲିପଡ଼ା ଓ ତୁଳସୀନଗରରେ ବର୍ଷାଜଳ ଘରେ ପଶିଯିବାରୁ ଅନେକ ପରିବାର ଫସି ରହିଥିଲେ । ପରିସ୍ଥିତି ଗୁରୁତର ହେବା ପରେ ବଲାଙ୍ଗିର ପୌର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ରାତିସାରା ଉଦ୍ଧାର ଅଭିଯାନ ଚଳାଇଥିଲେ । ଡଙ୍ଗା ଓ ଉଦ୍ଧାରକାରୀ ଦଳ ସହାୟତାରେ ବହୁ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା, ଅନାବଶ୍ୟକ ବାହାରକୁ ନଯିବା ଏବଂ ଜରୁରୀ ପରିସ୍ଥିତିରେ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।