jayashree

ରାଉରକେଲା ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି ୫୮କୋଟି ୯୬ଲକ୍ଷ ଟଙ୍କା

  • ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ବିମାନବନ୍ଦରର ବିକାଶ ପାଇଁ କେନ୍ଦ୍ର ସରକାର ୫୮କାଟି ୯୬ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଷ୍ଟିଲ ଅଥରିଟୀ ଅଫ୍‍ ଇଣ୍ଡିଆ ଲିମିଟେଡ (ସେଲ୍‍) ମାଲିକାନାରେ ଥିବା ରାଉରକେଲା ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ ଉଡାନ୍‍ ଯୋଜନାରେ ସାମିଲ କରାଯାଇ ଏଥିପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି । ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମହଲ ଏହି ସୂଚନା ରାଜ୍ୟସଭାରେ ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉଡାନ୍‍ ଯୋଜନାରେ ଦେଶର ବହୁ ସ୍ଥାନରେ ବିମାନବନ୍ଦର ବିକଶିତ ହୋଇଛି । କେନ୍ଦ୍ର ସରକାରଙ୍କ ଗ୍ରିନ୍‍ଫିଲ୍ଡ ଏୟାରପୋର୍ଟ ନୀତି ଅନୁଯାୟୀ ନୂଆ ବିମାନବନ୍ଦର ନିର୍ମାଣ ଓ ପୁରୁଣା ବିମାନବନ୍ଦର ଗୁଡିକର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଆରୋପ କରୁଛନ୍ତି । ଯଦି କୌଣସି ରାଜ୍ୟ ଗ୍ରିନ୍‍ ଫିଲ୍ଡ ଏୟାରପୋର୍ଟ ସ୍ଥାପନ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଏଥିପାଇଁ ଆବଶ୍ୟକୀୟ ସ୍ଥାନ ନିରୂପଣ କରିବା ସଂଗେ ସଂଗେ ପ୍ରକଳ୍ପ ସମ୍ପର୍କରେ ବୈଷୟିକ ଅନୁଧ୍ୟାନ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥାନ୍ତି ଏବଂ ଏହାର ଅନୁଶୀଳନ କରାଯିବାପରେ ଆବଶ୍ୟକ ମନେ କଲେ କେନ୍ଦ୍ରସରକାର ଅନୁମୋଦନ ଦିଅନ୍ତି । ସାଂସଦ ଶ୍ରୀ ରାୟ କହିଛନ୍ତି ଯେ, ଇସ୍ପାତନଗରୀ ରାଉରକେଲାରେ ଥିବା ଇସ୍ପାତ କାରଖାନାର ଆଧୁନିକୀକରଣ ସହ ଏଠାରେ ଅନ୍ୟ ଶିଳ୍ପାନୁଷ୍ଠାନର ବିକାଶ ପାଇଁ ଯୋଜନା ଚାଲୁଛି । ଏ ପରିପ୍ରେକ୍ଷୀରେ ରାଉରକେଲାକୁ ଦେଶ ବିଦେଶରୁ ପ୍ରତିଦିନ ବହୁବ୍ୟକ୍ତି ଆସୁଛନ୍ତି । ରାଉରକେଲାର ବିକାଶକୁ ଆଖିଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଉରକେଲା ବିମାନବନ୍ଦରର ବିକାଶ ସହିତ ଏଠାରୁ ଦେଶର ବିଭିନ୍ନ ସ୍ଥାନକୁ ବିମାନସେବା ବ୍ୟବସ୍ଥା କରିବାକୁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.