
ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋମବାର ଦିନ ସ୍ଥାନୀୟ ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ପ୍ରବେଶ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ +୨ ବିଭାଗର ପ୍ରଭାରୀ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ନୀତି ଶୃଙ୍ଖଳା, ଶୈକ୍ଷିକ ପରିବେଶ ଓ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ମଞ୍ଚାସୀନ ସମ୍ମାନିତ ଅତିଥି ଭାବେ ଶିକ୍ଷକ କର୍ମଚାରୀ ପରିଷଦରର ସମ୍ପାଦକ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, ଧନ୍ଦାମୂଳକ ଶ୍ରେଣୀର ମୁଖ୍ୟ ଅଧ୍ୟାପକ ବିଶ୍ୱରାଜ ପାତ୍ର ,ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଶର୍ମିଳା ପଣ୍ଡା, ଛାତ୍ରାବାସ ମୁଖ୍ୟ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଏବଂ ଛାତ୍ରୀ ନିବାସ ମୁଖ୍ୟା ନିକିତା ଭୋଇ ପ୍ରମୁଖ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ଓ ନିଷ୍ଠାର ସହ ଅଧ୍ୟୟନ କରିବା ପାଇଁ ଉତ୍ସାହିତ କରିଥିଲେ । ସମସ୍ତ ବିଭାଗର ମୁଖ୍ୟ, ବିଭାଗୀୟ ପ୍ରତିନିଧି ଏବଂଅଭିଭାବକ-ଅଭିଭାବିକାଙ୍କ ଗ୍ରହଣୀୟ ଉପସ୍ଥିତିରେ ଆୟୋଜିତ ଏହି ଉତ୍ସବକୁ +୨ ବିଭାଗର ନାମଲେଖା ଅଧିକାରୀ ଅଧ୍ୟାପକ ନିର୍ମଳ କୁମ୍ଭାର ସୁଚାରୁ ରୂପେ ମଞ୍ଚ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରବେଶ ଉତ୍ସବ ନବାଗତ ଶିକ୍ଷାର୍ଥୀମାନଙ୍କ ମନରେ ନୂତନ ଆଶା ଓ ଉତ୍ସାହର ସଞ୍ଚାର କରିବା ସହ ଏକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଥିଲା ।