
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଡାକ୍ତରଖାନାରେ ରାତି ଅଧରେ ଉତ୍ପାତ । ମଦ୍ୟପ ଯୁବକଙ୍କ ଦୌରାତ୍ମ୍ୟରେ ଅସୁରକ୍ଷିତ ହେଲେ ମହିଳା ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ । ସୁରକ୍ଷାକର୍ମୀଙ୍କୁ ମଧ୍ୟ ମାର୍ପିଟ୍ କରାଯାଇଥିବା ଅଭିଯୋଗ। ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ରବିବାର ରାତିରେ କିଛି ଯୁବକ ମଦ୍ୟପ ଅବସ୍ଥାରେ କଣ୍ଟାବାଞ୍ଜି ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ସେମାନେ ସେଠାରେ କାର୍ଯ୍ୟରତ ନର୍ସମାନଙ୍କ ସହ ର୍ଦୁବ୍ୟବହାର କରିଥିଲେ । ସୁରକ୍ଷାକର୍ମୀମାନେ ବାରଣ କରିବାରୁ ସେମାନଙ୍କ ସହ ମଧ୍ୟ ମାର୍ପିଟ୍ କରାଯାଇଥିବା ଅଭିଯୋଗ ରହିଛି । ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ହସ୍ପିଟାଲର ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ସୁରକ୍ଷାକର୍ମୀମାନେ ରାତିରେ ଥାନାକୁ ଯାଇ ବାରମ୍ବାର ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ପୋଲିସ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିନଥିଲେ । ଏହାକୁ ନେଇ ପୋଲିସର ତତ୍ପରତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ରାତ୍ରି ସମୟରେ ଡ୍ୟୁଟି କରୁଥିବା ମହିଳା ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଗୁରୁତର ଚିନ୍ତା ପ୍ରକାଶ ପାଇଛି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହସ୍ପିଟାଲ କର୍ମଚାରୀ । ତେବେ ସିସିଟିଭିରେ କଏଦ ହୋଇଥିବା ଏହି ଘଟଣା ପରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯିବ କି ? ପୋଲିସ କେବେ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବ ? ତାହା ଉପରେ ସମସ୍ତଙ୍କ ନଜର ରହିଛି ।