
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ବନମାଳ ଗାଁର ଦଳିତପଡାର ରାସ୍ତାରେ ବର୍ଷା ପାଣି ଜମି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ପଡାରେ ୨୦୦ରୁ ଅଧିକ ଲୋକ ବସବାସ କରିଥାଆନ୍ତି । ଏହି ପଡ଼ାକୁ ଯିବା ରାସ୍ତାରେ ମାସ ମାସ ଧରି ଆଣ୍ଠୁଏ ପାଣି ଜମି ରହିଥାଏ, ଯାହା ଦ୍ୱାରା ଯାତାୟତର ଅନେକ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆମ୍ବୁଲାନ୍ସ ଯାଇପାରୁନଥିବାରୁ ରୋଗୀ, ଗର୍ଭବତୀ ମହିଳାମାନଙ୍କୁ ବୋହି ନେବାକୁ ପଡିଥାଏ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ଧରି ପାଣି ଜମି ରହିଥିବାରୁ ଏହି ରାସ୍ତା ସନ୍ତସନ୍ତିଆ ପରିବେଶ ପାଇଁ ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗର ଶିକାର ହେବାକୁ ପଡ଼ିଥାଏ । ଏନେଇ ବ୍ଲକ ପ୍ରଶାସନକୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏଣୁ ଏହି ରାସ୍ତା ପଡାବାସୀ ତଥା ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଶୀଘ୍ର ମରାମତି କରି ଉନ୍ନତିକରଣ କରିବାକୁ ବନମାଳ ଦଳିତପଡାବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।