jayashree

ରେଲୱେ ଭୂତଳ ପୋଲରେ ୫ ଫୁଟର ପାଣି ପ୍ରବାହିତ : ଯାତାୟାତ ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) :ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା – କୁଟାସିଂହା ମୁଖ୍ୟରାସ୍ତାର ସାଲେଭଟା-ମୁରଶୁଣ୍ଢି ମଧ୍ୟରେ ଥିବା ରେଲୱେ ଭୂତଳ ପୋଲରେ ୫ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଗତ ରାତିରେ ପ୍ରବଳ ବର୍ଷା ହେବାରୁ ପାଚେରୀ ଡେଇଁ ପାଣି ପୋଲକୁ ପସୁଛି । ପୋଲ ର ଉଭୟ ପାର୍ଶ୍ୱରେ ଉଚ୍ଚ କାନ୍ଥ ଥିବାରୁ ଏବଂ ଏହା ଖାଲୁଆ ହୋଇଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ପୋଖରୀ ସଦୃଶ ପାଣି ଜମି ରହୁଛି । ଖାଲୁଆ ସ୍ଥାନରେ ଏହି ଭୂତଳ ପୋଲ ନିର୍ମାଣ ହୋଇଥିବାରୁ ଅସରାଏ ବର୍ଷାରେ ବି ସ୍ଥିତି ଅସମ୍ଭାଳ ହୋଇପଡୁଛି । ଏହି ରାସ୍ତା ସାଲେଭଟାରୁ ସୁବର୍ଣ୍ଣପୁରକୁ ଯୋଡି ହୋଥିବାରୁ ସବୁବେଳେ ହଜାର ହଜାର ଯାନବାହାନ ଚଳାଚଳ କରୁଥିଲା ଏବଂ ବାରୁମ୍ବାର ଫାଟକ ପଡୁଥିବାରୁ ଅଂଚଳବାସୀଙ୍କ ଓଭରବ୍ରିଜ ଦାବୀ ସତ୍ତ୍ୱେ ବି ରେଳ ବିଭାଗ ପକ୍ଷରୁ କିଛି ବର୍ଷ ହେଲା ଅଣ୍ଡର ପାସ ନିର୍ମାଣ କରାଯାଇଥିଲା । ଫଳରେ ସେ ସମୟରେ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜିର ଏଭଳି ସ୍ଥିତିରେ ସମସ୍ତ ଜରୁରୀ ସେବା ବନ୍ଦ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ବସ୍‌ ସେବା ପିଲାଙ୍କ ସ୍କୁଲ କଲେଜ ଏପରିକି ରୋଗୀଙ୍କୁ ନେବା ପାଇଁ ଆସୁଥିବା ଏକ ଆମ୍ବୁଲାନ୍ସ ମଧ୍ୟ ଏଠାରୁ ଫେରି ଯାଇଥିବା ଦେଖାଯାଇଛି । ଏହି ଭୂତଳ ପୋଲ ନିର୍ମାଣ ସମୟରେ ଅଂଚଳବାସୀ ଏଠି ଭୂତଳ ପୋଲ ପରିବର୍ତ୍ତେ ଓଭର ବ୍ରିଜ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ରେଳମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ସମୟରେ ଅଂଚଳବାସୀଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏନେଇ ରେଳ ରୋକ ମଧ୍ୟ ଏଠାରେ କରାଯାଇଥିଲା । ତେବେ ପ୍ରତିବର୍ଷ ବର୍ଷା ଦିନ ଆସିଲେ ଏଭଳି ସ୍ଥିତି ଲାଗି ରହୁଥିବାରୁ ଅଂଚଳବାସୀ ଏଠାରେ ଓଭର ବ୍ରିଜ ନିର୍ମାଣ କରିବାକୁ ଦାବୀ କରୁଛନ୍ତି ।

Leave A Reply

Your email address will not be published.