
ପ୍ରବଳ ବର୍ଷା ଯୋଗୁଁ ଉପରବାହାଲ- ରେଙ୍ଗାଲି ରାସ୍ତା ବିଚ୍ଛିନ୍ନ, ସରଗାଡ ଓ ସାନଝାଙ୍କରପାଲି ଗ୍ରାମର ୧୫ ପରିବାର ଜଳବନ୍ଦୀ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବ୍ଲକର ଉପରବାହାଲ ଠାରୁ ରେଙ୍ଗାଲିକୁ ଥିବା ପିଡବ୍ଲୁଡ଼ି ରାସ୍ତାର ଜାମଜୁରି ଗ୍ରାମ ନିକଟରେ ରାସ୍ତା ଉପରେ ୨ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉପରବାହାଲ- ରେଙ୍ଗାଲି ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ଫଳରେ ରାସ୍ତାର ଉଭୟ ପଟରେ ଯାନବାହାନ ଅଟକି ରହିଛି । ସେହିପରି ସରଗାଡ ଗ୍ରାମର ଗୋପାଳଜୀ ପଡାରେ ରହୁଥିବା ୧୨ ଆଦିବାସୀ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ରାତିରୁ ଅନେକ ଘରକୁ ବର୍ଷାପାଣି ପ୍ରବେଶ କରିଛି । ସରଗାଡରୁ ଉପରବାହାଲ ଗ୍ରାମକୁ ଥିବା ରାସ୍ତାରେ ଆବଶ୍ୟକ ପୋଲ ନ ଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଘର ଭିତରକୁ ବନ୍ୟାପାଣି ପଶିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ସାନ ଝାଙ୍କରପାଲି ଗ୍ରାମର ତିନୋଟି ଘରକୁ ବନ୍ୟାଜଳ ପଶିଥିବା ବେଳେ ଦୁଇଜଣଙ୍କ ଘର ଭାଙ୍ଗିଥିବା ଜଣାଯାଇଛି । ଆଗକୁ ବର୍ଷା ବଢିବାର ଆଶଙ୍କା ଥିବାରୁ ବନ୍ୟା ବିପନ୍ନଙ୍କୁ ତ୍ୱରିତ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସକାଶେ ସରଗାଡ ସମିତି ସଭ୍ୟ ବିରେନ୍ଦ୍ର ସାହୁ ଦାବି କରିଛନ୍ତି ।