
ଭୁବନେଶ୍ୱର, (କେପିଏନ୍ଏସ୍) : ରବିବାର ପ୍ରତ୍ୟୁଷରେ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସମ୍ଭାବ୍ୟ ସଡ଼କ ଦୁର୍ଘଟଣାକୁ ଇଙ୍ଗିତ କରୁଥିବା ବେଳେ ପୋଲିସ ହତ୍ୟା ସମେତ ଅନ୍ୟ ଦିଗରୁ ମଧ୍ୟ ଯାଞ୍ଚ କରୁଛି। ପୋଲିସ ଅନୁଯାୟୀ, ସ୍ଥାନୀୟ ଲୋକେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା କଡ଼ରେ ମୃତଦେହ ପଡ଼ିଥିବା ଦେଖି ପୋଲିସ୍କୁ ଖବର ଦେଇଥିଲେ। ଖବର ପାଇ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଅଧିକାରୀମାନେ କହିଛନ୍ତି । ପୋଲିସ ଘଟଣା ସହିତ ଜଡିତ କୌଣସି ଯାନ କିମ୍ବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି।