
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ପୁଣି ବଡ଼ ଗଞ୍ଜେଇ ଚାଲାଣ ଠାବ । ଭୁବନେଶ୍ୱର ନମ୍ବର ଥିବା ଏକ ଜାଇଲୋ ଗାଡ଼ିରୁ ବଲାଙ୍ଗିର ସଦର ଥାନା ପୋଲିସ ୧ କୁଇଣ୍ଟାଲ ୬୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ପୋଲିସ ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର ଥାନା ଅନ୍ତର୍ଗତ ପିପଲକାନି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ପୋଲିସକୁ ଦେଖି ଗାଡ଼ିରେ ଥିବା ଗଞ୍ଜେଇ ମାଫିଆ ଦ୍ରୁତ ଗତିରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ପୋଲିସ ପିଛା କରିବାରୁ ଅଭିଯୁକ୍ତମାନେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ପୋଲିସ ଗାଡ଼ିକୁ ଜବତ କରି ତଲାସି କରିବାବେଳେ ସେଥିରୁ ୧ କୁଇଣ୍ଟାଲ ୬୯ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା । ଘଟଣାରେ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।