ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଯାତ୍ରା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ସମଗ୍ର ବଲାଙ୍ଗିର ସହର ଏକ ଅପୂର୍ବ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ କମ୍ପିଉଠିଥିଲା । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନୁପମ ମିଳନର ଏହି ପର୍ବକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ଓ ଭକ୍ତିପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ପବିତ୍ର ଅବସରରେ ସ୍ଥାନୀୟ ଆଶିଷ ପ୍ଲାଜାଠାରେ ଏକ ସ୍ୱତନ୍ତ୍ର ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହି କେନ୍ଦ୍ର ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ମହାନ ନୀତିକାନ୍ତି ସମ୍ପର୍କରେ ଅବଗତ କରାଯିବା ସହ ବିଭିନ୍ନ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ପହଣ୍ଡି ବିଜେ, ହରିବୋଲ ଓ ହୁଳହୁଳିର ପ୍ରକମ୍ପନ ଭିତରେ ଶ୍ରୀଜୀଉମାନଙ୍କର ଅଭୁଲା ‘ଛେରା ପହଁରା’ ଏବଂ ଭକ୍ତମାନଙ୍କ ଦ୍ୱାରା ରଥଟଣାର ସୁନ୍ଦର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରାଯାଇଥିଲା । ସୁଦକ୍ଷ ଭାଷ୍ୟକାରମାନଙ୍କ ଓଜସ୍ୱିନୀ ଓ ଭକ୍ତିରସ ପରିପୂର୍ଣ୍ଣ ବାଣୀ ସମଗ୍ର ବଡ଼ଦାଣ୍ଡକୁ ଏକାକାର କରି ଦେଇଥିଲା । ଏହି ଦିବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସଫଳ କରିବାରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସୁଦକ୍ଷ ଭାଷ୍ୟକାର ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେଜ ଗଦାନନ୍ଦ ଛୁରିଆ, ସନାତନ ଠାକୁର, ବିଜୟ ତ୍ରିପାଠୀ, ମଧୁସୂଦନ ନାଏକ, ସନ୍ଦିପ କୁଅଁର, ଶ୍ରୀମତୀ ଏଲୋରା ମିଶ୍ର, ଶ୍ରୀମତୀ କଲ୍ଲଳିନୀ ମିଶ୍ର ଏବଂ ଲଳିତ ରଞ୍ଜନ ମହାପାତ୍ର ପ୍ରମୁଖ ନିଜର ମଧୁର କଣ୍ଠରେ ଜୀବନ୍ତ ଧାରାବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ପରିଚାଳନା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ, ବୀରେନ୍ଦ୍ର ଝାଙ୍କର, ଗୋବିନ୍ଦ ଚନ୍ଦ୍ର ମିଶ୍ର, ତପନ କୁମାର ପଟେଲ, ସମୀର କୁମାର ସାହୁ, ଦେବେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.