ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଦର୍ଶ ଶିକ୍ଷାବିତ୍ ମତ୍ସ୍ୟବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ବହୁମୂଲ୍ୟ ପ୍ରତିଭାର ଅଧିକାରୀ ଅଟନ୍ତି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବର୍ଣ୍ଣନା କରିଛନ୍ତି । ସର୍ବୋପରି ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷାବିତ୍ ସ୍ଵାଭିମାନୀ, ଛାତ୍ର ବତ୍ସଳ, ନୀତିନିଷ୍ଠ, କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତୀ, ପରୋପକାରୀ ଓ ସର୍ବୋପରି ଜଣେ ଉତ୍ତମ ମଣିଷ ଥିଲେ ବୋଲି ତାଙ୍କରି ସ୍ମୃତିରେ ଆୟୋଜିତ ସଭାରେ ଗଣନା କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ରଙ୍ଗେଇଲୁଣ୍ଡା ସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ପ୍ରଫେସର ରବିନାରାୟଣ ମିଶ୍ରଙ୍କର ସ୍ମୃତିରେ ତାଙ୍କରି ଗୁଣାବଳୀ ଉପରେ ଆଲୋକପାତ ସହ ସ୍ମୃତି ବ୍ୟାଖ୍ୟାନ କରାଯାଇଛି । ଏହି ସଭାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ରଙ୍କ ଅମ୍ଳାନ ସ୍ମୃତି ପ୍ରତି କୁଳପତି ତାଙ୍କରି ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ୍ ଅର୍ପଣ କରିବା ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କେନ୍ଦ୍ରୀୟ ମତ୍ସ୍ୟ ଶିକ୍ଷା ଅନୁଷ୍ଠାନର ବୈଜ୍ଞାନିକ ଡ଼ଃ. ବିନୟ ଭୂଷଣ ନାୟକ (ମୁମ୍ବାଇ) ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମାଛର ମୂଲ୍ୟ ଯୁକ୍ତ ଖାଦ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ମୂଲ୍ୟଯୁକ୍ତ ଖାଦ୍ୟର ପ୍ରସ୍ତୁତି ଓ ତାକୁ ନେଇ ବ୍ୟବସାୟ ବିଷୟରେ ବର୍ଣ୍ଣନା କରିଥିଲେ । ବିଭନ୍ନ ଦେଶର ମାଛକୁ ନେଇ ମୂଲ୍ୟ ଯୁକ୍ତ ଖାଦ୍ୟ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ମାଛର ମୂଲ୍ୟ ଯୁକ୍ତ ଖାଦ୍ୟକୁ ନେଇ ଉଦ୍ୟୋଗୀକରଣ ବିଷୟରେ ଉତ୍ସାହିତ କରିଥିଲେ । ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ଭଲ ଶିକ୍ଷକ ଓ ଉତ୍ତମ ଗବେଷକ ଥିଲେ ବୋଲି କୁହାଯାଇଛି । ମତ୍ସ୍ୟକ୍ଷେତ୍ର ପ୍ରତି ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ରଙ୍କର ମତ୍ସ୍ୟବିଜ୍ଞାନ ପ୍ରତି ବଳିଷ୍ଠ ଅବଦାନ ରହିଛି ଏବଂ ସେ ଲେଖିଥିବା ଅନେକ ପୁସ୍ତକ ଗୁଡିକ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କୁ ଅନେକ ଦିଗଦର୍ଶନ ଦେଇଛି, ଏପରିକି ଅଧ୍ୟାପିକା ଓ ଅଧ୍ୟାପକଙ୍କ ଦ୍ୱାରା ଖୁବ ପ୍ରଶଂସନୀୟ ସ୍ୱରୂପ ଗ୍ରହଣୀୟ ହୋଇପାରିଛି ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପଶ୍ଚିମବଙ୍ଗ ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ଡିନ୍ ପ୍ରଫେସର କୃଷ୍ଣ ଚନ୍ଦ୍ର ଦୋରା କହିଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ ସାଂଗକୁ ଆୟୋଜିତ ସଭାରେ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ସ୍ୱର୍ଗତ ରବିନାରାୟଣ ମିଶ୍ର ମୋର ଶିକ୍ଷକ ବୋଲି ସମ୍ବୋଧନ କରି କହିଥିଲେ । ତାଙ୍କର ପାଠପଢା ଶୈଳୀ ଖୁବ ଉଚ୍ଚକୋଟୀର ଥିଲା ଓ ସେ ଶିକ୍ଷକତାକୁ ବୃତ୍ତି ନୁହେଁ ବରଂ ବ୍ରତ ବୋଲି ମନେ କରନ୍ତି ବୋଲି ଡିନ୍ ସାର୍ କହିଥିଲେ । ପ୍ରକାଶ ଥାଉକି ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ୧୯୮୭ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ । ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥାଇ ସେ ୫ଖଣ୍ଡ ପୁସ୍ତକ ସଙ୍କଳନ କରିବା ସହିତ ୬୦ରୁ ଉର୍ଦ୍ଧ୍ୱ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଗବେଷଣା ପତ୍ରିକାରେ ପ୍ରକାଶିତ କରିଥିଲେ । ଶିକ୍ଷାଦାନ, ଗବେଷଣା ଏବଂ ସମ୍ପ୍ରସାରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କର ପାଠ୍ୟ ପୁସ୍ତକ ଗୁଡିକ ପାଇଁ ରାଜ୍ୟ ତଥା ଦେଶର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକମାନେ ଉପକୃତ ହୋଇପାରୁଛନ୍ତି । ଏହି ସଭାରେ ଦିବଂଗତ ପ୍ରଫେସର ରବିନାରାୟଣ ମିଶ୍ରଙ୍କର ଧର୍ମପତ୍ନୀ ଡ଼ଃ. ବିଷ୍ଣୁପ୍ରିୟା ମିଶ୍ର, ଅନେକ ମତ୍ସ୍ୟବିଜ୍ଞାନୀ, ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଅତିଥି ଅଧ୍ୟାପକ ଡ଼ଃ. ଅର୍ପିତ ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
