ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ସାମାନ୍ୟ ଶୁଖିଲା ଖରା ପାଗ ମଧ୍ୟରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବାହୁଡ଼ାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମନ୍ଦିରର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଛନା କରାଯିବା ପରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ସହ ଅପରାହ୍ନରେ ରଥ ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରିବା ପରେ ରଥରେ ଦଉଡ଼ି ସଂଯୋଗ କରିଥିଲେ । ଅପରପକ୍ଷରେ ତିନି ରଥରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଏବଂ ସ୍ଥାନୀୟ ଏସଡିପିଓ ଶୁଭମ ଭୋସଲେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଜନସମୁଦ୍ର ହୋଇଥିଲା । ଜୟ ଜଗନ୍ନାଥ, ହରିବୋଲ, ଜୟ ମା’ ସୁଭଦ୍ରା ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା । ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳାଖେଳ ଶେଷ କରି ଫେରିବା ବେଳେ ଦେଖିବାକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତିନୋଟି ରଥ ଶ୍ରୀ ମନ୍ଦିର ଆଭିମୁଖ୍ୟ ଯାତ୍ରା କରି ସନ୍ଧ୍ୟା ସୁଦ୍ଧା ମନ୍ଦିର ନିକଟରେ ପହଞ୍ଚିଥିଲା । ଏହି ଅନନ୍ୟ ପରମ୍ପରା ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ଦେଇଥାଏ । ଭକ୍ତି ଓ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଦିବ୍ୟ ମୁହୂର୍ତ୍ତ ବୋଲି ବିବେଚନା କରାଯାଏ । ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ସମସ୍ତ ସଦସ୍ୟ, ଯୁବକ ସଂଘ ମହିଳା ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
Next Post
