ବରଗଡ଼, (କେପିଏନ୍ଏସ୍) : ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତଠାରେ ପଲ୍ଲୀ ଆଲୋକ ପାଠାଗାରର ଆୟୋଜନ ଓ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁଙ୍କ ସହଯୋଗରେ ୨୦ ଜୁଲାଇ ୨୦୨୬ ତାରିଖରେ ସମୁଦାୟ ନେତୃବୃନ୍ଦଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପୁଷ୍ଟି ବିଷୟକ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଟାବାହାଲ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସବିତା ଚେର୍ଲିଆ, ଆଇସିଡିଏସ୍ ସୁପରଭାଇଜର, ଶ୍ରୀମତୀ ଋତୁପର୍ଣ୍ଣା ରାଉତ, କମ୍ୟୁନିଟି ହେଲ୍ଥ ଅଫିସର ଏବଂ ଶ୍ରୀମତୀ ନିରୁପମା ସ୍ୱାଇଁ, ଏମ୍ପିଏଚ୍ଡବ୍ଲୁ ଉପସ୍ଥିତ ଥିଲେ । ଏଥିରେ ସମୁଦାୟ ନେତୃବୃନ୍ଦ, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀମତୀ ରସ୍ମିତା ବରିକ ସ୍ୱାଗତ ଭାଷଣ ମାଧ୍ୟମରେ ଆରମ୍ଭ କରିଥିଲେ । ହୀରାଲାଲ ମିଶ୍ର, ପ୍ରକଳ୍ପ ସଂଯୋଜକ, କାର୍ଯ୍ୟକ୍ରମର ପ୍ରସଙ୍ଗ ଉପସ୍ଥାପନ କରିବା ସହ ପ୍ରଶିକ୍ଷଣର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀମତୀ ନିରୁପମା ସ୍ୱାଇଁ ସ୍ୱାସ୍ଥ୍ୟର ସଂଜ୍ଞା, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ପୁଷ୍ଟି ଏବଂ ସନ୍ତୁଳିତ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀମତୀ ଋତୁପର୍ଣ୍ଣା ରାଉତ ସୁସ୍ଥ ଜୀବନଶୈଳୀ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ବିଭିନ୍ନ ରଙ୍ଗର ପୁଷ୍ଟିକର ଖାଦ୍ୟ ସମ୍ମିଳିତ ଖାଦ୍ୟ ଥାଳିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଅର୍ପିତା ପଣ୍ଡା ନିଜ ଅନୁଭୂତି ବାଣ୍ଟିବା ସହ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଓ ପୁଷ୍ଟି ଯୋଜନାର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଜଣାଇଥିଲେ । ଶ୍ରୀମତୀ ସବିତା ଚେର୍ଲିଆ ଆଇସିଡିଏସ୍ କାର୍ଯ୍ୟକ୍ରମ ଓ ମା’ ଓ ଶିଶୁମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ହୀରାଲାଲ ମିଶ୍ର ଅଂଶଗ୍ରହଣ ମୂଳକ ପଦ୍ଧତିରେ ସ୍ଥାନୀୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ପରିସ୍ଥିତି, ଖାଦ୍ୟ ଗୋଷ୍ଠୀ, ସନ୍ତୁଳିତ ଖାଦ୍ୟ ଏବଂ କୁପୋଷଣ ନିରାକରଣରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ । ପରିଶେଷରେ ଶ୍ରୀମତୀ ରସ୍ମିତା ବରିକ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ସମ୍ବଳ ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
