ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସମ୍ପର୍କ ଅଭିଯାନ ଓ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ୧୨ବର୍ଷ ପୂର୍ତି ଓ ରାଜ୍ୟ ସରକାରଙ୍କ ୨ବର୍ଷ ଉପଲବ୍ଧି ଅବସରରେ ଆଜି ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦେଇ ମୋଦିଜୀଙ୍କ ନୋବେଲ ଭିଜନ (ମହତ୍ ଲକ୍ଷ୍ୟ) ପୁରା କରିବାକୁ ଶିକ୍ଷା, କଳା, ସାହିତ୍ୟ, ସଂସ୍କୃତି, ବାନ୍ଧକଳା ଓ ସମାଜସେବା, ବରିଷ୍ଠ ନାଗରିକ, ଆଇନସେବା, ସାମ୍ବାଦିକତା, ଆଧ୍ୟାତ୍ମିକତା ପରି ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା ଜିଲ୍ଲାର ୫୮ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ଵର୍ଦ୍ଧିତ କରିଥିଲେ । ଏଥିସହ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତି, ରାଜ୍ୟ ସରକାରଙ୍କ ୨ ବର୍ଷ ଉପଲବ୍ଧିକୁ ଓ ଜିଲ୍ଲାର ବିକାଶ କାର୍ଯ୍ୟ ନେଇ ଉପସ୍ଥିତ ବୁଦ୍ଧିଜୀବୀ ସାମ୍ୱାଦିକଙ୍କ ସହ ଆଲୋଚନା କରିଥିଲେ ଓ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦୃଢ଼ ପ୍ରତିଶ୍ର୍ରୁତି ଦେଇଥିଲେ । ଜିଲ୍ଲାର ଗମନାଗମନକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ଜତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ଉନ୍ନତିକରଣ ପାଇଁ ପ୍ରସ୍ତୁତ ହୋଇଥିବା ରୋଡ ମ୍ୟାପ୍ ଉପରେ ସାଂସଦ ଶ୍ରୀମତୀ ସିଂଦେଓ ଆଲୋଚନା କରିଥିଲେ ଓ ଖୁବ୍ ଶୀଘ୍ର ଗାଁକୁ ପହଞ୍ଚି ଲୋକଙ୍କ ସହ ସଂପର୍କ ଅଭିଯାନ କରିବୁ ବୋଲି ସାଂସଦ ଶ୍ରୀମତୀ ସିଂହଦେଓ ପ୍ରକାଶ କରିଥିଲେ । ବରିଷ୍ଠ ନାଗରିକ ସଂଘ ଓ ଓଡ଼ିଶା ସାମ୍ୱାଦିକ ସଂଘ ସମେତ ସହରର ବିଭିନ୍ନ ସଂଗଠନ ପକ୍ଷରୁ ସହର ତଥା ଜିଲ୍ଲାର ବିକାଶ ଲାଗି ଲିଖିତ ଭାବେ ଅନେକ ଦାବୀ ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ସାନନ୍ଦ କୁମାର ମେହେର ସଂଯୋଜନା କରିଥିଲେ । ବିଜେପି ନେତା ପ୍ରମୋଦ କୁମାର ମହାପାତ୍ର, ଅଶୋକ କୁମାର ପୂଜାରୀ, ରାଧାକାନ୍ତ ମହାକୁର, ନଳିନୀ ପଣ୍ଡା, ବିଶ୍ୱମ୍ବର ମିଶ୍ର, ବିଜୟ ମହାକୁର, ବିବେକାନନ୍ଦ ମିଶ୍ର, ଯୁବମୋର୍ଜା ସଭାପତି ସନ୍ତୋଷ ପ୍ରଧାନ, ନଗର ସଭାପତି ସୁରେଶ ବିଶ୍ଵାଳ, ଯୁବନେତା ସ୍ୱରୂପ ପାତ୍ର, ଗଙ୍ଗାଧର ତରିଆ ପ୍ରମୁଖଙ୍କ ସମେତ ବହୁ ରାଜନେତା ବୁଦ୍ଧିଜୀବି ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।
