ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନାୟିକା ରାଉରକେଲା ପକ୍ଷରୁ ସେକ୍ଟର ୭ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ସୁଚରିତା ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ କନକଲତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପ୍ରାକ୍ତନ ଶିକ୍ଷାଧିକାରୀ ରଶ୍ମିବାଳା ରାଉତରାୟ ଓ ମଞ୍ଜୁଳା କୁମାରୀ ରଥ, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ । ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ, ଆତ୍ମନିର୍ଭରଶୀଳ ଓ ମହିଳା ସଶକ୍ତିକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯେହେତୁ ନାରୀ ମାନଙ୍କ ମଧ୍ୟରେ ଦୃଢ ମନୋବଳ ରହିଛି, ତେଣୁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଏଦିଗରେ ପ୍ରୋତ୍ସାହିତ କରିପାରିବେ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ମୁଖ୍ୟ ଶ୍ରୀମତୀ ଦାସ ଏହି କେନ୍ଦ୍ରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଏହି ଅନୁଷ୍ଠାନରେ ଯୋଗଦେଇଥିବା ୨୦ ଜଣ ମହିଳାଙ୍କୁ ଟେଲରିଂ, ଏମ୍ବ୍ରୋଡେରୀ, ଫେବ୍ରିକ୍ ଓ ଆର୍ଟ ଏଣ୍ଡ କ୍ରାଫ୍ଟ ସମ୍ପର୍କରେ ନିଃଶୁଳ୍କ ୬ ମାସ ଶିକ୍ଷାଦାନ ଦିଆଯିବ ବୋଲି ଘୋଷଣା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଲ୍ୟାଣୀ ଦାସ,ରୁନୁ ବେକ୍, ଅରୁନ୍ଧତୀ ସ୍ୱାଇଁ, ସନ୍ଧ୍ୟା ପଟ୍ଟନାୟକ, ସସ୍ମିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲାବେଳେ ଶେଷରେ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୌଦାମିନୀ ପାତ୍ର, ଜୟନ୍ତୀ ଜଗଦଲ, ସୁଷମା ଦାସ, ଲିପ୍ସା ପାତ୍ର, ଅବନ୍ତୀ ବରାଡ, ପ୍ରମିତା ରାଉଳ, ମହାଲକ୍ଷ୍ମୀ ସାହୁ, ଲିପିକା ସ୍ୱାଇଁ, ଆରତୀ ସ୍ୱାଇଁ, ରଞ୍ଜତା ବାରିକ, ବିଶ୍ୱସ୍ମିତା ରାଉତ, ରୀନା ମଲ୍ଲିକ, ଇପ୍ସିତା ପାତ୍ର, ସସ୍ମିତା ବାରିକ, ରେଣୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
