ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପକ୍ଷରୁ ପରିଚାଳିତ ଛତ୍ରପୁର ସହରର ମଝିବଜାର ଉପରେ ଅବସ୍ଥିତ ଗୁଣ୍ଡିଚା ମନ୍ଦିରରେ ଶନିବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ ଦେଖି ଅଗଣିତ ଭକ୍ତଜନ ଆତ୍ମ ବିଭୋର ହୋଇଉଠିଛନ୍ତି । ଏପରିକି ଗୁଣ୍ଡିଚା ମନ୍ଦିରରେ ବିଜେ କରି ସିଂହାସନ ଆରୋହଣ କରିଥିବା ଚତୁଃର୍ଦ୍ଧାବିଗ୍ରହଙ୍କ ଚିତ୍ତାକର୍ଷକ ସାଜସଜ୍ଜା ଶ୍ରୀଜୀଉଙ୍କ ସୁନ୍ଦର ବେଶରେ ଭକ୍ତ ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ଏହି ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚତୁଃର୍ଦ୍ଧା ହସ୍ତରେ ଶଙ୍ଖ ଚକ୍ର ଗଦା ପଦ୍ମ, ବଳଦେବ ଜୀଉ ଶ୍ରୀ ବଳଭଦ୍ର ସ୍ୱାମୀଙ୍କ ହସ୍ତରେ ହଳଲଙ୍ଗଳ, ଦେବୀ ସୁଭଦ୍ରାଙ୍କ ଚତୁଃର୍ଦ୍ଧା ହସ୍ତରେ ଦେବୀ ପରମ ବୈଷ୍ଣବୀ ମା’ ଭୁବନେଶ୍ୱରୀ ରୂପରେ ସଜ୍ଜିତ ହୋଇଥାଆନ୍ତି । ଦେବୀ ସୁଭଦ୍ରାଙ୍କ ହସ୍ତରେ ପଦ୍ମ ଓ ଖଡଗ, ଗଦା ଆଦି ଧରି ଥିବା ବେଶ ଖୁବ୍ ମନ ଲୋଭା ହୋଇ ଅଗଣିତ ଭକ୍ତଙ୍କ ମନକୁ ଭକ୍ତି ଭାବାବେଗରେ ଆନ୍ଦୋଳିତ କରିଛି । ସେହିପରି ରିକାପଲ୍ଲୀ ଆଡ଼ପ ମଣ୍ଡପରେ ଏବଂ ଛତ୍ରପୁର ଉପର ବଜାର ଠାରେ ଥିବା ଦାଶୀରି ଜଗନ୍ନାଥ ମନ୍ଦିର ଆଡ଼ପ ମଣ୍ଡପରେ ମଧ୍ୟ ଶନିବାର କଚ୍ଛପ ଅବତାର ବେଶ ଦେଖି ଅଗଣିତ ଭକ୍ତ ସନ୍ତୋଷ ଲାଭ କରିଛନ୍ତି ।
