ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୬ରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଡ଼ବଜାରର ପୁଅ ଆଶୀର୍ବାଦ ତ୍ରିପାଠୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ସମଗ୍ର ଭାରତରେ ୧୨୩୭ ତମ ରେଙ୍କ ଅଧିକାର କରି ଜିଲ୍ଲାବାସୀଙ୍କୁ ଗର୍ବିତ କରିଛନ୍ତି । ଆଶୀର୍ବାଦ ମୋଟ ୭୨୦ ମଧ୍ୟରୁ ୬୫୩ ମାର୍କ ପାଇଛନ୍ତି । ତାଙ୍କ ପିତା ନନ୍ଦକିଶୋର ତ୍ରିପାଠୀ ଜଣେ ଓକିଲ ଏବଂ ମାତା ଶ୍ରୀମତୀ ରଞ୍ଜିତା ତ୍ରିପାଠୀ ଗୃହିଣୀ । ସେ ବରିଷ୍ଠ ଆଇନଜୀବୀ ହରି ନାରାୟଣ ତ୍ରିପାଠୀ ଓ ଆଇ ଶୋଭାଗିନୀ ତ୍ରିପାଠୀଙ୍କ ନାତି ହୋଇଥିବା ବେଳେ କାକା ରାଜ କିଶୋର ତ୍ରିପାଠୀ ଜଣେ ଯୁବ ସାମ୍ୱାଦିକ ଓ ଖୁଡି ରଶ୍ମିତା ମିଶ୍ର ଅଟନ୍ତି । ଆଶୀର୍ବାଦ ବଲାଙ୍ଗିରର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଯୁବୋଦୟରେ ଶିକ୍ଷା ଲାଭ କରୁଥିଲେ । କଠିନ ପରିଶ୍ରମ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନ ଫଳରେ ସେ ଏହି ସଫଳତା ପାଇପାରିଥିବା କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକ, ଶିକ୍ଷକ ଏବଂ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ଆଶିର୍ବାଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଶିର୍ବାଦ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ସମାଜ ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ପ୍ରଥମ କ୍ଲାସରୁ ଯୁକ୍ତ ୨ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଥିଲେ । ପ୍ରଥମେ ସୋନପୁର ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲରେ ପାଠ୍ୟକ୍ରମ ଆରମ୍ଭ କରିଥିବା ଆଶିର୍ବାଦ ମାଟ୍ରିକରେ ୯୫.୫୦ ପ୍ରତିଶତ ମାର୍କ ରଖିବା ସହ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅର୍ଜନ କରିଥିଲେ । ବଲାଙ୍ଗିର ଯୁବୋଦୟ କଲେଜରେ ଯୁକ୍ତ ୨ ପାଠ୍ୟକ୍ରମରେ ମଧ୍ୟ ସେ ୯୪ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଥିଲେ । ସେହିପରି ସେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍ ପରୀକ୍ଷାରେ ମଧ୍ୟ ୯୮ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଶିକ୍ଷାନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।
